ଅଭିଯୋଗ କଲେ ବାପା, ଗିରଫ ହେଲା ପୁଅ
ବାସୁଦେବପୁର: ବାପାଙ୍କର ଅଭିଯୋଗ ହେତୁ ପୁଅ ହୋଇଛି ଗିରଫ । ବାପା ଚାଲିବା ଶିଖାନ୍ତି ଦୁନିଆ ସହ ଲଢ଼ିବା ଶିଖାନ୍ତି ହେଲେ ସେହି ବାପା କାହିଁକି ଧରାଇଲେ ପୁଅକୁ ପୋଲିସ ହାତରେ? ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାସୁଦେବପୁର ଥାନା ସାବରପୁର ଗ୍ରାମରେ । ଜଣେ ଯୁବକଙ୍କୁ ବେଆଇନ ଭାବରେ ବନ୍ଧୁକ ଓ ଖୋକା ରଖିବା ପଡ଼ିଛି ମହଙ୍ଗା । ନିଜକୁ ସାମ୍ବାଦିକର ପରିଚୟ ଦେଇ ବିଭିନ୍ନ ସମୟରେ ଗ୍ରାମବାସୀ ଓ ପରିବାର ଲୋକଙ୍କୁ ବନ୍ଧୁକ ଫୁଟାଇଦେବ କହି ଧମକ ଦେଉଥିଲା ଏହି ଯୁବକ। ନିଜ ପରିବାରର ଅଭିଯୋଗକୁ ଆଧାର କରି ଆଜି ପୋଲିସ ଏହି ଯୁବକକୁ ଧରିବା ସହ ବନ୍ଧୁକକୁ ଜବତ କରିଛି। ସାବରପୁର ଗ୍ରାମର ସେକ ସକିଲକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି।
ଅଭିଯୋଗରୁ ଜଣାଯାଇଛି, ସେକ ସକିଲ ଦୀର୍ଘଦିନ ଧରି ନିଜକୁ ଜଣେ ସାମ୍ବାଦିକର ପରିଚୟ ଦେଇ ଆସୁଥିଲା । ଗତ ବୁଧବାର ରାତିରେ ସଲାମୁଦ୍ଧିନଙ୍କ ଘରେ କୌଣସି କାରଣରୁ ଦୁଇ ପୁଅଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହି ଝଗଡା ବଢିବାରୁ ସଲାମୁଦ୍ଧିନଙ୍କ ସ୍ତ୍ରୀ ଗ୍ରାମବାସୀମାନଙ୍କୁ ବୁଝାସୁଝା କରିବାକୁ ଡାକିଥିଲେ। ଘଟଣାସ୍ଥଳରେ ଗ୍ରାମବାସୀମାନେ ପହଁଚି ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳକୁ ରୋକିବା ପାଇଁ ପ୍ରୟାସ କରିଥିବା ସମୟରେ ସକିଲ ଘରୁ ଏକ ପିସ୍ତଲ ବାହାର କରି ଗ୍ରାମବାସୀଙ୍କ ସମେତ ପରିବାର ଲୋକଙ୍କୁ ଦେଖାଇ ଫୁଟାଇଦେବ ବୋଲି ଧମକ ଦେଇଥିଲା ।
ବନ୍ଧୁକ ଦେଖି ଗ୍ରାମବାସୀ ଭୟରେ ଦୌଡି ପଳାଇଥିଲେ। ଏହି ଘଟଣା ପରେ ସକିଲଙ୍କ ବାପା ସଲାମୁଦ୍ଧିନ ବାସୁଦେବପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ସକିଲକୁ ଗିରଫ କରିଥିଲା। ପୋଲିସ ସକିଲ ନିକଟରୁ ଏକ ପିସ୍ତଲ ସହ ଗୋଟିଏ ଖୋକା ଜବତ କରିଛି। ଏଥିସହ ସକିଲ ପାଖରେ ଥିବା ତଦନ୍ତ ନ୍ୟୁଜ ନାମକ ଏକ ୱେବ ପୋର୍ଟାଲର ଆଇକାର୍ଡ ଓ ବୁମକୁ ପୋଲିସ ଜବତ କରି ତଦନ୍ତ ଜାରି ରଖିଛି।
Powered by Froala Editor