ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଟ୍ୱିଟରେ ବ୍ଲକ କଲେ ମମତା
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ରାଜ୍ୟପାଳ ଜଗଦୀପ ଧନକରଙ୍କୁ ଟ୍ୱିଟରେ ବ୍ଲକ କରିଛନ୍ତି। ମମତା ବାନାର୍ଜୀ କହିଛନ୍ତି, ଟ୍ୱିଟରେ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ବ୍ଲକ କରିବା ପାଇଁ ମୋତେ ବାଧ୍ୟ କରାଯାଇଛି । ପ୍ରତିଦିନ ସେ ସରକାରୀ ଅଧିକାରୀଙ୍କୁ ଟାର୍ଗେଟ କରି ଧମକପୂର୍ଣ୍ଣ ଟ୍ୱିଟ କରୁଥିଲେ, ସତେ ଯେପରି ସମସ୍ତେ ତାଙ୍କର କ୍ରୀତଦାସ ।
ମମତା ବାନାର୍ଜୀ କହିଛନ୍ତି ରାଜ୍ୟପାଳ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକଙ୍କୁ ଧମକ ଦେଉଛନ୍ତି । ତାଙ୍କୁ ଶ୍ରମିକଙ୍କ ଭଳି ବ୍ୟବହାର କରୁଛନ୍ତି । ଏ ସମ୍ପର୍କରେ ମୁଁ ଅନେକଥର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି। ରାଜ୍ୟପାଳ ହଟାଇବା ନେଇ ଅନୁରୋଧ କରିଛି । କିନ୍ତୁ ଏ ଯାଏଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ସେ ଅଭିଯୋଗ କରିଛନ୍ତି । ଆମେ ଗତ ବର୍ଷେ ହେଲା ହଇରାଣ ହେଉଛେ। ରାଜ୍ୟପାଳ ଅନେକ ଫାଇଲ କ୍ଲିଅର କରୁ ନାହାନ୍ତି । ସେ ସବୁ ଫାଇଲକୁ ପକାଇ ରଖୁଛନ୍ତି। ତେଣୁ ସେ କେମିତି ପଲିସି ନିଷ୍ପତ୍ତି ଉପରେ କହିପାରୁଛନ୍ତି ବୋଲି ମମତା ପ୍ରଶ୍ନ କରିଛନ୍ତି।
ସେହିପରି ତାଙ୍କ ଫୋନ୍ ଟ୍ୟାପିଂ ପାଇଁ ସେ ରାଜ୍ୟପାଳଙ୍କୁ ଦାୟୀ କରିଛନ୍ତି। କାହିଁକି ପ୍ରଧାନମନ୍ତ୍ରୀ ତାଙ୍କୁ ହଟାଉ ନାହାନ୍ତି। ରାଜ୍ୟପାଳ ହାଉସରୁ ପେଗାସସ୍ ଚାଲୁଛି ବୋଲି ମମତା ଅଭିଯୋଗ ଆଣିଛନ୍ତି। ପ୍ରତିଦିନ ସକାଳେ ରାଜ୍ୟପାଳ ଟ୍ୱିଟ୍ କରି ମୋତେ ଆକ୍ରମଣ କରୁଛନ୍ତି। ଏଠି ସେ କେବଳ ମହାନ ଆଉ ଆମେ ଦାଦନ ଶ୍ରମିକ। ମୁଁ ଏହି ମାନସିକତାକୁ ଗ୍ରହଣ କରିପାରୁ ନାହିଁ। ତେଣୁ ମୁଁ ତାଙ୍କୁ ଆଜି ଟ୍ୱିଟରରେ ବ୍ଲକ କରିଦେଇଛି ବୋଲି ମମତା କହିଛନ୍ତି ।
ସୂଚନାଯୋଗ୍ୟ, ରବିବାର ରାଜ୍ୟପାଳ ଧନକର ମହାତ୍ମା ଗାନ୍ଧୀଙ୍କ ପୂନ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଦେଇ ରାଜ୍ୟର ମମତା ସରକାରଙ୍କୁ ଟାର୍ଗେଟ କରିଥିଲେ। ରାଜ୍ୟପାଳ ଅଭିଯୋଗ କରିଥିଲେ, ରାଜ୍ୟରେ ମାନବାଧିକାରର ହନନ ଏବଂ ହିଂସା ଘଟଣାକୁ ବରଦାସ୍ତ କରାଯିବନି।
Powered by Froala Editor