ଏନକାଉଣ୍ଟର: ୫ ପାକିସ୍ତାନୀ ଆତଙ୍କୀ ନିହତ
ଶ୍ରୀନଗର: ଗତ ୧୨ ଘଣ୍ଟା ମଧ୍ୟରେ କଶ୍ମୀରରେ ହୋଇଥିବା ଡବଲ ଏନକାଉଣ୍ଟରରେ ୫ ଜଣ ପାକିସ୍ତାନୀ ପ୍ରାୟୋଜିତ ଆତଙ୍କୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀମାନେ ପାକିସ୍ତାନରେ ସକ୍ରିୟ ଥିବା ଲସ୍କର-ଇ-ତାଏବା ଓ ଜୈଶ-ଇ-ମହମ୍ମଦର ସଦସ୍ୟ। ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଜୈଶ କମାଣ୍ଡର ଜାହିଦ ୱାନି ଓ ଆଉ ଜଣେ ପାକିସ୍ତାନ ଆତଙ୍କୀ ରହିଥିବା ଜମ୍ମୁ-କଶ୍ମୀର ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, କଶ୍ମୀରର ପୁଲୱାମା ଜିଲ୍ଲା ଅନ୍ତର୍ଗତ ନୈରା ଅଞ୍ଚଳରେ ହୋଇଥିବା ଏନକାଉଣ୍ଟର୍ରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀମାନଙ୍କ ଠାରୁ ବିପୁଳ ପରିମାଣର ବିସ୍ଫୋରକ ଓ ଆପତ୍ତିଜନକ ସାମଗ୍ରୀ ମିଳିଛି । ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।
ସେହିପରି ବଡଗାମର ଚରାର-ଇ-ଶରିଫ ଅଞ୍ଚଳରେ ମଧ୍ୟ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଆତଙ୍କବାଦୀର ମୁଣ୍ଡ ଗଡିଛି। ତା’ ନିକଟରୁ ଏକେ-୫୬ ରାଇଫଲ ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଏବେ ବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଥିବାରୁ ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ ।
ନିହତ ଜୈଶ କମାଣ୍ଡ ଜାହିଦ ୨୦୧୯ ମସିହା ଫେବୃଆରୀ ମାସରେ ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ହମଲାରେ ସାମିଲ ଥିଲା ବୋଲ ସୂଚନା ମିଳିଛିି । ସେ ଏଠାରେ ଦୀର୍ଘ ବର୍ଷ ହେଲା କାମ କରୁଥିଲା । ତେଣୁ ଏନକାଉଣ୍ଟର୍ରେ ସେ ନିହତ ହେବା ସୁରକ୍ଷାକର୍ମୀଙ୍କ ପାଇଁ ଏକ ବଡ ସଫଳତା ।
କଶ୍ମୀର ଜୋନ ପୁଲିସ୍ ଟ୍ୱିଟ କରି ସୂଚନା ଦେଇଛି ଯେ “୧୨ ଘଣ୍ଟା ମଧ୍ୟରେ ହୋଇଥିବା ଟ୍ୱିନ ଏନକାଉଣ୍ଟର୍ରେ ପାକିସ୍ତାନ ପ୍ରାୟୋଜିତ ଲସ୍କର ଓ ଜୈଶର ୫ ଜଣ ଆତଙ୍କୀ ନିହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜୈଶ କମାଣ୍ଡର ଜାହିଦ ୱାନି ଓ ଆଉ ଜଣେ ପାକିସ୍ତାନୀ ଆତଙ୍କୀ ରହିଛି । ଏହା ଆମ ପାଇଁ ବଡ ସଫଳତା ।”
Powered by Froala Editor