ଅସହ୍ୟ ଜାଡରେ ଥରୁଛି ସାରା ଓଡିଶା, ଏହି ଦିନଠୁ କମିବ ଶୀତ

ଭୁବନେଶ୍ୱର: ଅସହ୍ୟ ଜାଡରେ ଥରୁଛି ସାରା ଓଡିଶା। ଗତ ଦୁଇଦିନ ହେଲା ପ୍ରବଳ ଶୀତ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଲାଣି। ଗତ ରାତିରେ ରାଜ୍ୟର ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ଦାରିଙ୍ଗବାଡି ଓ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରେକର୍ଡ ହୋଇଥିବାବେଳେ କେନ୍ଦୁଝର, ସୋନପୁର ଓ ଭବାନୀପାଟଣାରେ ୮ଡିଗ୍ରୀ , ଝାରସୁଗୁଡାରେ ୮.୪ ଡଗ୍ରୀ, କୋରାପୁଟ, ନୟାଗଡ, ବଲାଙ୍ଗୀର ଓ ଅନୁଗୁଳରେ ୯ ଡିଗ୍ରୀ ଓ ବୌଦ୍ଧଠାରେ ୧୦ ଡଗ୍ରୀ ରେକର୍ଡ ହୋଇଛି। ଭୁବନେଶ୍ୱରରେ ୧୧.୨ ଓ କଟକରେ ୧୨ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ ହୋଇଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଶୀତ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଓଡିଶା ମଧ୍ୟକୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ କ୍ରମାଗତ ଭାବେ ଥଣ୍ଡା ଓ ଶୁଷ୍କବାୟୁ ପ୍ରବେଶ କରୁଛି। ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମ୍ ରହିଛି। ଏଥିପାଇଁ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରି ଯାଏ କମ୍ ରହିବ। ଏହାପରେ ତାପମାତ୍ରା ବଢିବାରେ ଲାଗିବ। ତାପମାତ୍ରା ୩ ଡିଗ୍ରି ଯାଏ ବୃଦ୍ଧି ପାଇବ। ଫଳରେ ଶୀତ ପ୍ରକୋପ ସାମାନ୍ୟ କମ୍ ରହିବ।
ଆଜି ରାଜ୍ୟର ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ଦେବଗଡ, ଅନୁଗୁଳ, ବରଗଡ, ବଲାଙ୍ଗୀର, ନୂଆପଡା, ସୋନପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେବ। ଏଥିସହ ୩୧ ତାରିଖ ଦିନ ଝାରସୁଗୁଡା, ବଲାଙ୍ଗୀର, ବରଗଡ, ସୋନପୁର, କଳାହାଣ୍ଡି ଓ ନୂଆପଡା ଆଦି ଜିଲ୍ଲାରେ ଶୀତ ଲହରି ପ୍ରବାହିତ ହେବ। ଏଣୁ ଏସବୁ ଅଞ୍ଚଳରେ ଲୋକଙ୍କୁ ସତର୍କ ରହିବାକୁ ତଥା ଶୀତରେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯିବା ସହ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
Powered by Froala Editor