ଏସ୍ବିଆଇର ‘ଅନ୍ତଃସତ୍ତ୍ୱା’ ନିୟମକୁ ନେଇ ବିଗିଡିଲେ ମହିଳା କମିସନ
୩ ମାସରୁ ଅଧିକ ଦିନ ଅନ୍ତଃସତ୍ତ୍ବା ଥିବା ମହିଳାମାନଙ୍କୁ ଚାକିରିରେ ଯୋଗ ଦେବାକୁ ବାରଣ କରିଥିବାରୁ ଦିଲ୍ଲୀ ମହିଳା କମିସନ୍ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍କୁ ନୋଟିସ୍ ଜାରି କରିଛି। ଏହି ନିର୍ଦ୍ଦେଶାବଳୀ ଗଠନ ପ୍ରକ୍ରିୟା ଏବଂ ସେମାନଙ୍କୁ ଅନୁମୋଦନ କରିଥିବା ଅଧିକାରୀଙ୍କ ନାମ ବ୍ୟାଖ୍ୟା କରିବାକୁ ଆୟୋଗ ଏସବିଆଇକୁ କହିଛନ୍ତି ।
ସୂଚନାଥାଉକି, ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆ ମହିଳା ପ୍ରାର୍ଥୀଙ୍କ ନୂଆ ନିଯୁକ୍ତି କ୍ଷେତ୍ରରେ କିଛି ପରିବର୍ତ୍ତନ କରିଛନ୍ତି । ପରିବର୍ତ୍ତନ ଅନୁଯାୟୀ ତିନି ମାସରୁ ଅଧିକ ସମୟ ଧରି ଗର୍ଭବତୀ ଥିବା ମହିଳା ସାମୟିକ ଅଯୋଗ୍ୟ ହେବେ । କେବଳ ସେତିକିନୁହେଁ ତିନି ମାସରୁ ଅଧିକ ଗର୍ଭବତୀ ଥିବା ମହିଳା କାମକୁ ନଆସିବାକୁ ନିୟମ ଜାରି ହୋଇଛି । ତେବେ ଏହି ନିୟମକୁ ବିରୋଧ କରି ନୋଟିସ୍ ଜାରି କରିଛନ୍ତି ମହିଳା ଆୟୋଗ । ମହିଳା ଅଧ୍ୟକ୍ଷ ସ୍ୱାତୀ ମାଲିଓ୍ୱାଲ୍ ଟ୍ୱିଟ କରି କହିଛନ୍ତି ବ୍ୟାଙ୍କର କାର୍ଯ୍ୟାନୁଷ୍ଠାନ ଭେଦଭାବପୂର୍ଣ୍ଣ ଏବଂ ବେଆଇନ ଅଟେ । ସ୍ୱାତୀ କହିଛନ୍ତି ଯେ ବ୍ୟାଙ୍କ ଏହି ନିୟମରେ ପରିବର୍ତ୍ତନ କରିବା ଉଚିତ୍ । ଡିସେମ୍ବର ୩୧,୨୦୨୧ରେ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ଫିଟନେସ୍ ଅନୁଯାୟୀ ଗର୍ଭଧାରଣ ତିନି ମାସରୁ ଅଧିକ ହୁଏ, ତେବେ ଜଣେ ମହିଳା ପ୍ରାର୍ଥୀ ସାମୟିକ ଅଯୋଗ୍ୟ ବିବେଚିତ ହେବେ। ତେଣୁ, ଏହି ମହିଳା ବିରୋଧୀ ନିୟମ ପ୍ରତ୍ୟାହାର କରି ନେବାକୁ ଆମେ ସେମାନଙ୍କୁ ନୋଟିସ୍ ଦେଇଛୁ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଷ୍ଟେଟ୍ ବ୍ୟାଙ୍କ୍ ଜାରି କରିଥିବା ଉକ୍ତ ସର୍କ୍ୟୁଲାର୍ରେ ଉଲ୍ଲେଖ ଅଛି ଯେ, ‘ସାମୟିକ ଭାବେ ଅନୁପଯୁକ୍ତା’ ବୋଲି ବିବେଚନା କରାଯାଉଥିବା ସମ୍ପୃକ୍ତ ମହିଳା ପିଲା ଜନ୍ମ କରିବାର ୪ ମାସ ମଧ୍ୟରେ ପୁଣି କାର୍ଯ୍ୟ କ୍ଷେତ୍ରରେ ଯୋଗ ଦେଇ ପାରିବେ।
ଏହାର ଅର୍ଥ ମନୋନୀତ ହୋଇଥିଲେ ମଧ୍ୟ ‘ସାମୟିକ ଭାବେ ଅନୁପଯୁକ୍ତା’ ହେତୁ ୩ ମାସ ଅନ୍ତଃସତ୍ତ୍ବା ଥିବା ମହିଳା ପ୍ରାର୍ଥିନୀ ତୁରନ୍ତ କାର୍ଯ୍ୟରେ ଯୋଗ ଦେଇପାରିବେ ନାହିଁ ବୋଲି ବ୍ୟାଙ୍କ୍ ନିୟମ କରିଥିବା ପରି ମନେହୁଏ। ଏହା ୨୦୨୦ ‘କୋଡ୍ ଅଫ୍ ସୋସିଆଲ୍ ସିକ୍ୟୁରିଟି’ଦ୍ବାରା ଯୋଗାଇ ଦିଆଯାଥିବା ‘ମାଟର୍ଣ୍ଣିଟି ବେନିଫିଟ୍’ର ବିରୁଦ୍ଧାଚରଣ କରୁଛି।
Powered by Froala Editor