କରୋନା ନେଇ ଆସିଲା ପୁଣି ଏକ ବଡ଼ ଖବର
ଭୁବନେଶ୍ୱର: କରୋନା ସବୁଠି ଆତଙ୍କ ଖେଳାଇଛି । କେବେ ଏହି ସଂକ୍ରମଣ କମିବ ତାକୁ ନେଇ ସମସ୍ତେ ଚିନ୍ତାରେ । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ରାଜ୍ୟର କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ରାଜ୍ୟରେ ଏବେ ବି ଓମିକ୍ରନ ଓ ଡେଲଟା ଭାରିଆଣ୍ଟ ସକ୍ରିୟ ରହିଛି । କିଛିଦିନ ତଳେ ସାମ୍ପୁଲ ସର୍ଭେରୁ ୨୫ରୁ ୩୦ ପ୍ରତିଶତ ଡେଲଟା ଥିବା ଜଣାପଡିଛି । ନୂଆ ଭାରିଆଣ୍ଟ ନିଓକୋଭର କେବଳ ପକ୍ଷୀଙ୍କ ଠାରେ ଦେଖିବାକୁ ମିଳୁଛି ।
ସେହିପରି ପକ୍ଷୀରୁ ମଣିଷକୁ ସଂକ୍ରମଣ ନେଇ କୌଣସି ତଥ୍ୟ ନଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । ସେହିପରି ରାଜ୍ୟରେ ସ୍ଥିତି ସୁଧୁରିବାରେ ଲାଗିଛି । ସବୁ ତଥ୍ୟ ବିଶ୍ଲେଷଣ ପରେ ଫେବୃଆରୀ କଟକଣା ନିଷ୍ପତ୍ତି ନିଆଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୪୮୪୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୩୧୧୬୯ ଜଣକୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୮୦୯ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୨୦୩୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୬୭୧ ଜଣ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
ଗତ ୨୪ ଘଣ୍ଟାରେ ୪୮୪୨ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
Powered by Froala Editor