ସରକାର ଏଥର ଆଣିପାରନ୍ତି କାମଚଳା ବଜେଟ୍
ଭୁବନେଶ୍ୱର: ରାଜ୍ୟରେ ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତଥର କାମଚଳା ବଜେଟ୍ ଆଣିପାରନ୍ତି ବୋଲି ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର କହିଛନ୍ତି। ତେବେ ଏନେଇ ରାଜଭବନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଆସିନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି ଯେ, ରାଜ୍ୟରେ ପଂଚାୟତ ପରେ ପୌର ନିର୍ବାଚନ ହେବାର ଥିବାରୁ କାମଚଳା ବଜେଟ୍ ଆସିବା ଲାଗି ବିଚାର ଚାଲିଛି। ସାଧାରଣତଃ ବାର୍ଷିକ ପୂର୍ଣ୍ଣାଙ୍ଗ ବଜେଟ୍ ମାର୍ଚ୍ଚ ମାସରେ ଆସିଥାଏ। ତେବେ ପୂର୍ଣ୍ଣାଙ୍ଗ କି କାମଚଳା ବଜେଟ୍ ଆସିବ ସେ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ୩ମାସ ପାଇଁ କାମଚଳା ବଜେଟ୍ ଆଣିବାର ପରମ୍ପରା ପୂର୍ବରୁ ରହିଛି। ଯେହେତୁ ସରକାର କିମ୍ବା ରାଜ୍ୟପାଳଙ୍କ କାର୍ୟ୍ୟାଳୟ ଏନେଇ କିଛି ବିଧିବଦ୍ଧ ଜଣାଇନାହାନ୍ତି, ତେଣୁ ଏନେଇ ସ୍ପଷ୍ଟ କିଛି କହି ହେବ ନାହିଁ ବୋଲି ସେ କହିଛନ୍ତି।
ତେବେ ରାଜ୍ୟରେ ଏବେ ପଂଚାୟତ ନିର୍ବାଚନ ଚାଲିଥିବାରୁ ଆଗକୁ ପୌର ଓ ସମବାୟ ନିର୍ବାଚନ ଥିବାରୁ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଆଣିବା ସରକାରଙ୍କ ପକ୍ଷେ ସମ୍ଭବପର ହୋଇନପାରେ। ନିର୍ବାଚନ ଥିବାରୁ ସରକାର ସମ୍ଭବତଃ ୩ମାସିଆ କାମଚଳା ବଜେଟ୍ ଆଗତ କରି ପରବର୍ତ୍ତୀ ସମୟରେ ପୂର୍ଣ୍ଣାଙ୍ଗ ବଜେଟ୍ ଆଣିପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
Powered by Froala Editor