ତିନି ଦିନ ରାଜ୍ୟରେ ଅସମ୍ଭାଳ ଶୀତ, ଥରିବ ଓଡିଶା

ଭୁବନେଶ୍ୱର: ଆସନ୍ତା ତିନି ଦିନ ରାଜ୍ୟରେ ଅସମ୍ଭାଳ ଶୀତର ଲହରି ଜାରି ରହିବ । ସର୍ବନିମ୍ନ ତାପମାତ୍ରା ୩ରୁ ୫ଡିଗ୍ରୀ କମିଯିବ । ଶୀତ ଲହରି ବଢିବାର ଆଶଙ୍କା ଥିବାରୁ ରାତି ଓ ପାହାନ୍ତିଆ ସମୟରେ ଘରେ ରହିବାକୁ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।
ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ବାୟୁମଣ୍ଡଳର ତଳଭାଗରେ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ଓଡିଶାକୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବେଶ କରୁଛି । ଏହାର ପ୍ରଭାବରେ ଆଗାମୀ ତିନିଦିନ ଯାଏ ରାଜ୍ୟରେ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଶୀତ ଲହରି ଅନୁଭୂତ ହେବାର ଆଶଙ୍କା ରହିଛି ।
ସୁନ୍ଦରଗଡ, ଝରସୁଗୁଡା, କେନ୍ଦୁଝର, ସମ୍ବଲପୁର, ଦେବଗଡ, ଅନୁଗୁଳ, ବରଗଡ, ବଲାଙ୍ଗୀର, ନୂଆପଡା, ସୋନପୁର, ବୌଦ୍ଧ, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ଶୀତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆଜି ସକାଳୁ ରବିବାର ସକାଳ ସାଢେ ୮ଟା ଯାଏ ଜାରସୁଗୁଡା, ବଲାଙ୍ଗୀର, ବରଗଡ, ସୋନପୁର ଓ କଳାହାଣ୍ଡି ଜିଲ୍ଲାରେ ଶୀତ ଲହରି ପରିସ୍ଥିତି ଜାରି ରହିବ ।
ଶୀତ ଲହରିରୁ ବର୍ତ୍ତିବାକୁ ଶୀତ ବସ୍ତ୍ର ବା ଏକାଧିକ ପୋଷାକ ପିନ୍ଧିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଗୃହପାଳିତ ପଶୁ ଶୀତ ସଂସ୍ପର୍ଶରେ ଆସିଲେ ପ୍ରଭାବିତ ହୋଇପାରନ୍ତି । ଏଣୁ ସେମନେଙ୍କୁ ଖୋଲା ସ୍ଥାନରେ ନ ରଖିବାକୁ ସତର୍କ କରାଯାଇଛି ।
Powered by Froala Editor