କୋକୋ ଏବେ କୋଉଠି !

ଗତ ଜାନୁୟାରୀ 18 ତାରିଖରେ କଟକ ତୁଳସୀପୁର ଅଞ୍ଚଳରେ ଜଣେ ଅଧ୍ୟାପିକା ସୁସ୍ମିତା ବେହେରାଙ୍କ ଘର ଭିତରୁ ଉଦ୍ଧାର କରାଯାଇଥିବା ଶୁଆଟିକୁ ଗତ କାଲି ସନ୍ଧ୍ୟା ପ୍ରାୟ 5 ଟା ସମୟରେ ନଗର ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ବର ପାତ୍ରପଡା ସ୍ଥିତ ମେଡିସିନାଲ ଗାର୍ଡେନ ରେ ଛଡ଼ା ଯାଇଛି । ପକ୍ଷୀ ଟିକୁ ଛାଡିବା ବେଳେ କଟକ ରେଞ୍ଜ ଅଫିସର ଦୁର୍ଗା ଚରଣ ସାହୁ, ନଗର ବନଖଣ୍ଡର ଏସିଏଫ ବିଜୟ କୁମାର ପରିଡା ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଖୋର୍ଦ୍ଧ ଜିଲ୍ଲାର ଅବୈତନିକ ବନ୍ୟ ପ୍ରାଣୀ ତତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ଏବଂ ଏକାମ୍ର ଆନିମଲ ୱେଲଫେୟାର ଟ୍ରଷ୍ଟ ର ପୁରବୀ ପାତ୍ର ମଧ୍ୟ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ଏଇ ଶୁଆ ଟି ଏକ ଭାରତୀୟ Ring necked parakeet ପ୍ରଜାତି ର ଶୁଆ, ଯାହାକୁ କି କଟକରେ ସୁସ୍ମିତାଙ୍କ ଘର ଭିତରେ ଏକ ପଞ୍ଜୁରୀ ଭିତରେ ବନ୍ଦୀ ଅବସ୍ଥାରେ ବନ ବିଭାଗ ଉଦ୍ଧାର କରିଥିଲା । କଟକ ରେଞ୍ଜ ଅଫିସ ତରଫରୁ ଏନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଛି । କାରଣ, ଯେ କୌଣସି ଭାରତୀୟ ଶୁଆକୁ ପଞ୍ଜୁରୀ ଭିତରେ ଆବଦ୍ଧ କରି ରଖିବା ବନ୍ୟ ପ୍ରାଣୀ (ସଂରକ୍ଷଣ) ଆଇନ, 1972 ର ଗୁରୁତ୍ୱପୂର୍ଣ୍ଣ ଧାରା 9 ର ଉଲ୍ଲଙ୍ଘନ । ଏଥିପାଇଁ 3 ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ର ବ୍ୟବସ୍ଥା ଅଛି ।
ତେବେ କୋକୋ ବୋଲି ଯେଉଁ ଶୁଆଟି ସୁସ୍ମିତାଙ୍କ ଘରୁ କିଛି ଦିନ ତଳେ ଉଡି ଯାଇଥିଲା ବୋଲି ସିଏ ଏକ ନିଖୋଜ ପୋଷ୍ଟର କଟକରେ ମାରିଥିଲେ ଓ ଯେଉଁ ଶୁଆଟିର ଭିଡ଼ିଓ ଗଣମାଧ୍ୟମ ଜରିଆରେ ଭାଇରାଲ ହେଇଥିଲା, ତାହା ଏକ Alexandrine ଶୁଆ ଥିଲା । ନିଜେ ସୁସ୍ମିତାଙ୍କ ପୋଷ୍ଟର ରେ ତାଙ୍କର ନିଖୋଜ ଶୁଆ ର ଡେଣାରେ ନାଲି ଦାଗ ଥିବା କଥା ଉଲ୍ଲେଖ କରିଥିଲେ ମଧ୍ୟ, ତାଙ୍କ ଘରୁ ଜବତ ହେଇଥିବା ଶୁଆ ଡେଣା ରେ ସେଇ ନାଲି ଦାଗ ନଥିଲା । ଅର୍ଥାତ ସୁସ୍ମିତାଙ୍କ ଘରୁ ଉଡି ଯାଇଥିବା ଶୁଆ କୋକୋ ଓ ଜବତ ହୋଇ ଭୁବନେଶ୍ୱର ରେ ଛଡ଼ା ଯାଇଥିବା ଶୁଆ ଦୁଇଟି ଯାକ ସମ୍ପୂର୍ଣ୍ଣ ଭିନ୍ନ ।
ଏଣୁ, ଯେଉଁ Alexandrine ଶୁଆଟି ସୁସ୍ମିତାଙ୍କ ଘରୁ ଉଡିଯାଇଥିଲା ତାହା ଏବେ କେଉଁଠି ବୋଲି ଅନେକ ଲୋକ ପ୍ରଶ୍ନ କରିବା ଆରମ୍ଭ କଲେଣି ।
ନଗର ବନଖଣ୍ଡ ଏସିଏଫ ବିଜୟ କୁମାର ପରିଡା ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେଇ କହିଛନ୍ତି "ଆମେ ଯେଉଁ ଶୁଆଟି କଟକରୁ ଜବତ କରୁ ଭୁବନେଶ୍ୱର ରେ ଛାଡିଲୁ ତାହା ଏକ Ring necked ଶୁଆ । ଯେଉଁ କୋକୋ ଫୋଟୋ ପୋଷ୍ଟର ରେ ଦିଆଯାଇଥିଲା ତାହା ଏଇ ଶୁଆ ନୁହେଁ । ଆମେ ତଦନ୍ତ କରୁଛୁ, ସେଇ ଭଦ୍ର ମହିଳାଙ୍କୁ ଏନେଇ ଜେରା କରାଯିବ, ତଦନ୍ତରେ ଯାହା ନିଷ୍କର୍ଷ ବାହାରିବ ସେଇ ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ" ।
କଟକ ରେଞ୍ଜ ଅଫିସର ଦୁର୍ଗା ଚରଣ ସାହୁ କହିଛନ୍ତି "ଆମେ 18 ତାରିଖରୁ ସବୁ ଦିନ ସ୍ଥାନୀୟ ଭେଟେରୀନାରୀ ଡ଼ାକ୍ତରଙ୍କ ପାଖରେ ଶୁଆ ଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଉଥିଲୁ । ଡାକ୍ତର ଶୁଆଟିକୁ ତାର ପ୍ରାକୃତିକ ଆବାସ ସ୍ଥଳୀରେ ଛାଡିବା ପାଇଁ ଫିଟ ଥିବା ସାର୍ଟିଫିକେଟ ଦେବା ପରେ ଆମେ ତାକୁ ଏମିତି ଏକ ସ୍ଥାନରେ ଛାଡିଲୁ ଯେଉଁଠି ଆଗରୁ ବହୁ ସଂଖ୍ୟାରେ Ring necked ଶୁଆ ଅଛନ୍ତି" ।
ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି "ଆଇନ୍ ଅନୁସାରେ ଶୁଆକୁ ପଞ୍ଜୁରୀ ଭିତରେ ରଖିଥିବା ଅପରାଧରେ ଭଦ୍ର ମହିଳାଙ୍କୁ ଗିରଫ କରି ବନ ବିଭାଗ କୋର୍ଟ ଚାଲାଣ କରିବା କଥା । ତେଣିକି, ତାଙ୍କୁ ଜାମିନ ଦେବେ ବା ଜେଲ କୁ ପଠାଯିବ, ତାହା କୋର୍ଟଙ୍କ ଇଚ୍ଛାଧୀନ । ବନ୍ୟ ପ୍ରାଣୀ ଆଇନ ରେ ଅଭିଯୁକ୍ତ ଙ୍କୁ ଜାମିନ ଦେବାର ଅଧିକାର କୌଣସି ବନ ଅଧିକାରୀଙ୍କର ନାହିଁ । ତେଣୁ, ଏଇ ମାମଲା ଟି କୋର୍ଟଙ୍କ ବିଚାର କୁ ଯିବା ବାଞ୍ଛନୀୟ" ।
Powered by Froala Editor