ପୁଲିସ୍ ଅଫିସର୍ ହେଲେ ସମିତି ସଭ୍ୟ ପ୍ରାର୍ଥୀ
ଗୁଣୁପୁର: ଗତ ୨୦୧୯ ମସିହା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ପୁଳିସ୍ ଅଫିସର୍ ଚାକିରି ଛାଡିଥିବା ଆଦିବାସୀ ଯୁବକ ରବିଶଙ୍କର ଗମାଙ୍ଗଙ୍କ ସ୍ୱପ୍ନ ପୂରଣ ହୋଇନଥିଲା । ଟିକେଟ୍ ପାଇବାରୁ ସେ ବଂଚିତ ହୋଇଥିଲେ । ମାତ୍ର, ଏବେ ସେ ସମିତିସଭ୍ୟ ଭାବେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତୃଣମୂଳ ସ୍ତରରେ ଲୋକମାନଙ୍କର ସେବା କରିବା ସହିତ ଦୁର୍ନୀତି ଦୂର କରିବା ଲକ୍ଷ୍ୟ ନେଇ ସେ ରାଜନୀତିରେ ପାଦ ଥାପିଥିବା କହିଛନ୍ତି ।
୨୦୦୬ ମସିହାରେ ରବିଶଙ୍କର ଉକôଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନ ବିଭାଗରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ । ଏହାପରେ ୨୦୧୦ ମସିହାରେ ଲୋକଙ୍କ ସେବା କରିବା ଆଶା ନେଇ ପୁଲିସ୍ ବିଭାଗରେ ଯୋଗ ଦେଇଥିଲେ । ୭ବର୍ଷ ଏସ୍ଆଇ ଭାବେ କାମ କରିବା ପରେ ୨୦୧୭ ମସିହାରେ ରାଉରକେଲା ଓଏସପି ବାଟାଲିୟନର ଇନସ୍ପେକ୍ଟର ଭାବେ ପଦୋନ୍ନତି ପାଇଥିଲେ । କିନ୍ତୁ ରାଜନୀତିରେ ଯୋଗ ଦେବା ଇଚ୍ଛା ତାଙ୍କୁ ଚାକିରି ଜୀବନରୁ ଦୂରେଇ ଆଣିଥିଲା ।
୨୦୧୮ ମସିହାରେ ଚାକିରି ଛାଡି ରାଜନୀତିରେ ଯୋଗ ଦେଇଥିଲେ । ଏହାପରେ ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ବିଜେପିରେ ସାମିଲ୍ ହୋଇଥିଲେ ସେ । ଲକ୍ଷ୍ୟ ଥିଲା ୨୦୧୯ ନିର୍ବାଚନରେ ଗୁଣୁପୁର ଆସନରୁ ଲଢିବା । ମାତ୍ର, ରବିଶଙ୍କରଙ୍କ ବଦଳରେ ଶିଶିର ଗମାଙ୍ଗଙ୍କୁ ବିଜେପି ପ୍ରାର୍ଥୀ କରିଥିଲା । ଚଳିତ ଥର ରାମନାଗୁଡା ବ୍ଲକ ଅଧ୍ୟକ୍ଷ ପଦବି ଅଣସଂରକ୍ଷିତ ଥିବାରୁ ସମିତିସଭ୍ୟ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ରବି ଶଙ୍କର ।
Powered by Froala Editor