ଜାଣିଶୁଣି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେ ଏହି ପ୍ରସିଦ୍ଧ ଗାୟିକା

ଜାଣିଶୁଣି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ଚେକ ଗଣରାଜ୍ୟର ପ୍ରସିଦ୍ଧ ଗାୟକ ହାନା ହୋର୍କା । ହାନାଙ୍କ ପୁଅ ଜାନ ରେକ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ହାନା ରବିବାର ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା।
ରେକ କହିଛନ୍ତି, “ଟିକା ବିରୋଧରେ ଆନ୍ଦୋଳନ କରୁଥିବା ନେତାମାନେ ମୋ ମା’ଙ୍କୁ ଏହା ବିରୋଧରେ ଉସକାଇଥିଲେ। ସେ ପରିବାର ଲୋକଙ୍କ ଅପେକ୍ଷା ସେମାନଙ୍କ କଥାକୁ ଅଧିକ ବିଶ୍ୱାସ କରି ଟିକା ନେଇ ନଥିଲେ।”
ମୃତ୍ୟୁର ଦୁଇ ଦିନ ପୂର୍ବରୁ ହାନା ସୋଶାଲ ମିଡିଆରେ ଗୋଟିଏ ପୋଷ୍ଟ କରିଥିଲେ। ଏଥିରେ ସେ ଲେଖିଥିଲେ ଯେ “ମୁଁ ବଞ୍ଚିଛି। ମୁଁ ସଂକ୍ରମିତ। ସୁସ୍ଥ ହେବା ପରେ ମୁଁ ଥିଏଟର, ବିଭିନ୍ନ କାର୍ଯ୍ୟକ୍ରମ, ବାର ଓ କ୍ଲବକୁ ଯିବା ପାଇଁ ପାସ୍ ପାଇବି। ଏଥିସହ ସମୁଦ୍ରରେ ମଧ୍ୟ ଭ୍ରମଣ କରିବି।”
ସୂଚନା ଯେ, ହାନା ଦେଶର ସ୍ୱାସ୍ଥ୍ୟ ପାସ୍ ପାଇଁ ଉଦ୍ଦେଶ୍ୟମୂଳକ ଭାବେ କରୋନାରେ ନିଜକୁ ସଂକ୍ରମିତ କରାଇଥିଲେ। ନିୟମ ଅନୁଯାୟୀ, ଯେଉଁମାନେ ଟିକା ନେଇଥିବେ କିମ୍ବା ନିକଟରେ କରୋନାରେ ଆକ୍ରାନ୍ତ ହୋଇଥିବେ ସେମାନଙ୍କୁ ସରକାର ସ୍ୱାସ୍ଥ୍ୟ ପାସ୍ ଦେବେ। ହାନା ଟିକା ବଦଳରେ କରୋନାରେ ସଂକ୍ରମିତ ହେବାକୁ ବେଶୀ ପସନ୍ଦ କରିଥିଲେ। ସ୍ୱାସ୍ଥ୍ୟ ପାସ୍ ଦ୍ୱାରା ସେ ସଉନା ଓ ଥିଏଟରକୁ ପ୍ରବେଶ କରିବେ ବୋଲି ଆଶା ରଖିଥିଲେ। ହେଲେ ଏହି ପାସ୍ ଲୋଭ ହାନାଙ୍କ ଜୀବନ ନେଇଛି।
Powered by Froala Editor