ମତଦାନର ୪୮ ଘଣ୍ଟା ପୂର୍ବରୁ ମଦ ବିକ୍ରୟ ସଂପୂର୍ଣ୍ଣ ନିଷେଧ
ଭୁବନେଶ୍ୱର : ଆସନ୍ତା ଫେବ୍ରୁଆରୀ ୧୬ ତାରିଖରୁ ୫ଟି ପର୍ୟ୍ୟାୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଯେଉଁଠି ଭୋଟ୍ ହେବ ସେଠାରେ ମତଦାନର ୪୮ ଘଣ୍ଟା ପୂର୍ବରୁ ମଦ ବିକ୍ରୟ ଓ ବଣ୍ଟନକୁ ସଂପୂର୍ଣ୍ଣ ଭାବେ ନିଷେଧ କରାଯାଇଛି। ଭୋଟ ପରଦିନ ପର୍ୟ୍ୟନ୍ତ ଏହି କଟକଣା ଲାଗୁ ହେବ। ସଂପୃକ୍ତ ଅଞ୍ଚଳର ହୋଟେଲ, ରେଷ୍ଟୁରାଣ୍ଟ ଓ ଦୋକାନରେ ମଦ ବିକ୍ରି ହୋଇପାରିବ ନାହିଁ। ଅନ୍ୟପକ୍ଷରେ ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଉପରେ ନିର୍ବାଚନ କମିଶନ ନିଷେଧାଦେଶ ଜାରି କରିଛନ୍ତି। ଲାଇସେନ୍ସପ୍ରାପ୍ତ ବନ୍ଧୁକ ବା ଅନ୍ୟ ଅସ୍ତ୍ରଶସ୍ତ୍ର ସହ ବୁଥ୍ ନିକଟରେ ବୁଲିବାକୁ ମନା କରାଯାଇଛି। ଫେବ୍ରୁଆରୀ ୧୪ରୁ ମାର୍ଚ୍ଚ ୧ ଯାଏଁ ଅନଧିକୃତ ଲୋକେ ବୁଥ୍କୁ ଆସିପାରିବେ ନାହିଁ। ଭୋଟ୍ ଗ୍ରହଣ ଦିନ କର୍ମଚାରୀଙ୍କୁ ସବୈତନିକ ଛୁଟି ଦେବାକୁ ରାଜ୍ୟ ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭୋଟ୍ ଦେବାକୁ ସରକାରୀ ଓ ବେସରକାରୀ କର୍ମଚାରୀଙ୍କୁ ଛୁଟି ଦେବା ପାଇଁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ଗ୍ରାମାଞ୍ଚଳରେ ବିଭିନ୍ନ ଅନୁଷ୍ଠାନରେ କାର୍ୟ୍ୟରତ କର୍ମଚାରୀଙ୍କୁ ବି ଛୁଟି ମିଳିବ। ବୁଥ୍ ଠାରୁ କର୍ମସ୍ଥଳୀ ଦୂରରେ ଥିଲେ କର୍ମଚାରୀମାନଙ୍କୁ ୩ ଦିନର ସ୍ୱତନ୍ତ୍ର CL ଦିଆଯିବ। ଭୋଟ ଗ୍ରହଣ ଦିନ ସଂପୃକ୍ତ ଅଞ୍ଚଳରେ ଥିବା ନ୍ୟାୟିକ କୋର୍ଟ ବନ୍ଦ ରହିବ।
ସୂଚନାଯୋଗ୍ୟ, ଫେବ୍ରୁଆରୀ ୧୬,୧୮, ୨୦, ୨୨ ଓ ୨୪ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖରେ ଭୋଟଗଣତି ସମସ୍ତ ବ୍ଲକ ମୁଖ୍ୟାଳୟରେ ଜିଲ୍ଲା ପରିଷଦ ଜୋନୱାରି ହେବ। ଭୋଟଗଣତି ସମାପ୍ତ ହେବା ସହ ଫେବ୍ରୁଆରୀ ୨୮ତାରିଖରେ ହିଁ ଆଦର୍ଶ ଆଚରଣ ବିଧି ପ୍ରତ୍ୟାହାର ହେବ।
Powered by Froala Editor