ଚାଲିଗଲା ‘ପେଞ୍ଚ୍ ଟାଇଗର୍ ରିଜର୍ଭ’ର ‘କଲାର୍ବାଲୀ’
ମଧ୍ୟପ୍ରଦେଶର ‘ପେଞ୍ଚ୍ ଟାଇଗର୍ ରିଜର୍ଭ’ରେ ୨୯ଟି ଶାବକ ଜନ୍ମ କରିଥିବା ‘କଲାର୍ବାଲୀ’ ବୁଢ଼ୀ ବାଘୁଣୀ ମୃତ୍ୟୁବରଣ କରିଛି। ମୃତ୍ୟୁ ବେଳକୁ ବାଘୁଣୀକୁ ୧୬ ବର୍ଷରୁ ଅଧିକ ବୟସ ହୋଇଥିଲା। ବନ ବିଭାଗ ଅଧିକାରୀମାନେ ଉକ୍ତ ବାଘୁଣୀର ନାଁ ‘ଟି୧୫’ ଦେଇଥିଲେ ମଧ୍ୟ ସେ ସ୍ଥାନୀୟ ଅଧିବାସୀମାନେ ଶ୍ରଦ୍ଧାରେ ତାକୁ ‘କଲାର୍ବାଲୀ’ ଓ ‘ମାତାରାମ୍’ କହୁଥିଲେ।
ବନବିଭାଗ ମୁତାବକ, ପେଞ୍ଚରେ ବାଘ ବଂଶ ବଢ଼ାଇବାରେ କଲାରବେଲୀ ବାଘୁଣୀର ବିଶେଷ ଯୋଗଦାନ ଥିବା କୁହାଯାଉଛି। ମେ’ ୨୦୦୮ରେ ଏହି ପେଞ୍ଚର ରାଣୀ ତିନୋଟି ବାଘ ଛୁଆକୁ ଜନ୍ମ ଦେଇଥିଲା। ଏହାପରେ ଭିନ୍ନ ଭିନ୍ନ ବର୍ଷରେ ବାଘୁଣୀ ପ୍ରାୟ ୨୯ଟି ବାଘ ଛୁଆ ଜନ୍ମ ଦେଇଥିଲା। ଯେଉଁଥିରୁ ଏବେ କେବଳ ୨୪ଟି ଜୀବିତ ଅଛନ୍ତି। ଏକାଥରକେ ୫ଟି ଶାବକକୁ ଜନ୍ମ ଦେବା ରେକର୍ଡ ମଧ୍ୟ ଏହି ବାଘ ନାଁରେ ରହିଛି।
ଏବେ ଏହି ବାଘୁଣୀର ମୃତ୍ୟୁ ପାଇଁ ଶୋକବ୍ୟକ୍ତ କରି ମଧ୍ୟପ୍ରଦେଶ ମନ୍ତ୍ରୀ ନରୋତ୍ତମ ମିଶ୍ରା ଟୁଇଟ୍ କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ‘ସୁପର୍ ମମ୍’କୁ ଶେଷ ବିଦାୟ। ‘କଲାର୍ବାଲୀ ବାଘୁଣୀ’ର ମୃତ୍ୟୁ ଖବର ଦୁଃଖଦାୟକ। ଏହି ‘ସୁପର୍ ମମ୍’ଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ମଧ୍ୟପ୍ରଦେଶକୁ ‘ବ୍ୟାଘ୍ର ରାଜ୍ୟ’ ବୋଲି ଗୌରବଶାଳୀ ପରିଚୟ ମିଳିଛି।
Powered by Froala Editor