ବୃଦ୍ଧି ପାଇବ ଶୀତର ମାତ୍ରା, ପୁଣି ହାଡଭଙ୍ଗା ଶୀତରେ ଥରିବ ଓଡିଶା
ଭୁବନେଶ୍ୱର: ରାଜ୍ୟରେ ଖସିବ ପାରଦ ଓ ଶୀତର ମାତ୍ରା ବୃଦ୍ଧି ପାଇବ । ପାଣିପାଗ ବିଭାଗର ସୂଚନା ଅନୁସାରରେ ଗତ ୨୪ଘଣ୍ଟାରେ ପ୍ରାୟ ସମସ୍ତ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି । ସର୍ବାଧିକ ବର୍ଷା ରାୟଗଡା ଜିଲ୍ଲା କୋତ୍ରାଗୁଡାରେ ୬୫.୬ ମିମି ରେକର୍ଡ ହୋଇଛି । ସେହିପରି ଢେଙ୍କାନାଳ ଜିଲ୍ଲା ଭୁବନରେ ୬୪.୦ ମିମି, ଗଜପତି ଜିଲ୍ଲା ନୂଆଗଡରେ ୫୭.୮ ମିମି ଲେଖାଏଁ ବର୍ଷା ହୋଇଥିବା ଜଣାଯାଇଛି । ବର୍ଷା ଯୋଗୁଁ ସର୍ବନିମ୍ନ ରାତ୍ରି ତାପମାତ୍ରାରେ ବୃଦ୍ଧି ଘଟିଛି । ସମତଳ ଅଞ୍ଚଳଗୁଡିକ ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ବଲାଙ୍ଗୀର ଓ ପାରଳାଖେମୁଣ୍ଡିଠାରେ ୧୪.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ପାହାଡିଆ ଅଞ୍ଚଳଗୁଡିକ ମଧ୍ୟରେ ଦାରିଙ୍ଗବାଡିରେ ସର୍ବନିମ୍ନ ୧୧ଡିଗ୍ରି ରେକର୍ଡ ହୋଇଛି । ଗତ ୪/୫ ଦିନ ହେବ, ରାଜ୍ୟରେ ପଶ୍ଚିମା ଝଡ ଯୋଗୁଁ ପାଗ କୋହଲା ରହିଛି । ଆଉ ୨୪ ଘଣ୍ଟା ସ୍ଥିତି ଏଭଳି ରହିବା ପରେ ପାଗରେ ପରିବର୍ତ୍ତନ ହେବ ।
ତେବେ ଆସନ୍ତା ୩ ଦିନରେ ରାଜ୍ୟର ତାପମାତ୍ରା ପାଖାପାଖି ୪ ଡିଗ୍ରି ପର୍ଯ୍ୟନ୍ତ ଖସିଯିବ । ଫଳରେ ଶୀତର ମାତ୍ରା ବୃଦ୍ଧି ପାଇବ । ଶୀତ ଲେଉଟିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ପାଣିପାଗ କେନ୍ଦ୍ର କହିଛି, ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷାର ପରିମାଣ କମିବ । ୧୬ତାରିଖରୁ ପାଗରେ ପରିବର୍ତ୍ତନ ଦେଖାଦେବ । ପାଗ ଖରାଟିଆ ଓ ଶୁଖିଲା ରହିବ । ୧୬ତାରିଖରୁ ଆଭ୍ୟନ୍ତରୀଣ ଓଡିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ପଡିବାର ସମ୍ଭାବନା ରହିଛି । ୧୭ ଓ ୧୮ତାରିଖ ଆଡକୁ ଘନକୁହୁଡି ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏଥିପାଇଁ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
Powered by Froala Editor