ସତୀଚଉରାରେ ହେବ ଶେଷକୃତ୍ୟ, ମିହିର ଦାସଙ୍କୁ ଦିଆଯିବ ‘ଗାର୍ଡ ଅଫ୍ ଅନର୍’
ଭେଟେରାନ୍ ଓଲିଉଡ ଅଭିନେତା ମିହିର ଦାସଙ୍କ ପରଲୋକରେ ସାରା ରାଜ୍ୟ ସ୍ତବ୍ଧ । ମିହିର ଦାସଙ୍କ ବିୟୋଗ ଖବରକୁ ବିଶ୍ବାସ କରିପାରୁନାହାନ୍ତି ସିନେ ପ୍ରେମୀ । ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ମିହିର । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬3 ବର୍ଷ ବୟସ ହୋଇଥିଲା । ମିହିରି ଦାସଙ୍କ ବିୟୋଗରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।
ତେବେ ଆସନ୍ତାକାଲି ମିହିର ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା ନେଇ ସୂଚନା ମିଳିଛି । ଓଡିଆ ଚଳଚ୍ଚିତ୍ର ଜଗତକୁ ମିହିର ଦାସଙ୍କ ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇ ‘ଗାର୍ଡ ଅଫ୍ ଅନର୍’ ସହ ଶେଷକୃତ୍ୟ ସମ୍ପନ୍ନ ହେବ । ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବ । ମିହିର ଦାସଙ୍କ ମରଶରୀର ସକାଳ ସାଢେ ୮ରେ କଟକ ବାସଭବନରୁ ବାହାରି ଏକ ଶୋଭାଯାତ୍ରାରେ ସତୀଚଉରା ଯିବ। ସେଠାରେ ’ଗାର୍ଡ ଅଫ ଅନର’ ସହ ଶେଷକୃତ୍ୟ ହେବ ବୋଲି କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ସୂଚନା ଦେଇଛନ୍ତି ।
୧୯୬୬ ମସିହା ଫେବ୍ରୁଆରି ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହୋଇଥିଲେ ମିହିର ଦାସ । ୧୯୭୯ ମସିହାରେ ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । ସେ ପ୍ରାୟ ୧୦୦ଟି ଚଳଚ୍ଚିତ୍ରରେ ମୁଖ୍ୟ ଓ ସହ କଳାକାର ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ଲକ୍ଷ୍ମୀ ପ୍ରତିମା, ଟାର୍ଗେଟ୍, ଗୁଣ୍ଡା, ମାଇଁ ଲଭ ଷ୍ଟୋରୀ, ପହିଲି ରାଜା, ଚୋରି ଚୋରି ମନ ଚୋରି, ବାଜି, ଧଉଳି ଏକ୍ସପ୍ରେସ୍ ଅନ୍ୟତମ ।
Powered by Froala Editor