ରୋଡ ଶୋ’ ଓ ପଦଯାତ୍ରା ରାଲି କରିପାରିବେନି ପ୍ରାର୍ଥୀ, ଡୋର-ଟୁ-ଡୋର କ୍ୟାମ୍ପେନରେ ୫ ଜଣଙ୍କୁ ଅନୁମତି
![ରୋଡ ଶୋ’ ଓ ପଦଯାତ୍ରା ରାଲି କରିପାରିବେନି ପ୍ରାର୍ଥୀ, ଡୋର-ଟୁ-ଡୋର କ୍ୟାମ୍ପେନରେ ୫ ଜଣଙ୍କୁ ଅନୁମତି](https://odishanewslens.com/news_gallery/9629_1641656237.jpg)
ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ସାମ୍ବାଦିକ ସମ୍ମିଳନୀ କରି ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଫେବ୍ରୁଆରୀ ୧୦ ତାରିଖରୁ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ମାର୍ଚ୍ଚ ୧୦ରେ ଫଳାଫଳ ପ୍ରକାଶ ପାଇବ। ଏହା ସହିତ ଆଜିଠୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି।
ନିର୍ଦ୍ଦେଶ ଅନୁଯାୟୀ, ଏହି ପାଞ୍ଚ ରାଜ୍ୟରେ ରୋଡ ଶୋ’, ପଦଯାତ୍ରା, ସାଇକଲ ଏବଂ ବାହାନ ରାଲି ଉପରେ କଟକଣା ଜାରି କରାଯାଇଛି । ଜାନୁଆରୀ ୧୫ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ନିଜ ଘୋଷଣାରେ କହିଛନ୍ତି, ଜାନୁଆରୀ ୧୫ ଯାଏଁ ରାଲି, ରୋଡ ଶୋ’କୁ ଅନୁମତି ଦିଆଯିବ ନାହିଁ। କୌଣସି ବି ରାଜନୈତିକ ଦଳ କିମ୍ବା ପ୍ରାର୍ଥୀଙ୍କୁ ଏଥିପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ। ସେହିପରି କୌଣସି ରାଜନୈତିକ ସଭା ଅୟୋଜନକୁ ମଧ୍ୟ ଅନୁମତି ପ୍ରଦାନ କରାଯିବ ନାହିଁ। ଏହାସହ ନିର୍ବାଚନରେ ବିଜୟୀ ପ୍ରାର୍ଥୀ କୌଣସି ପ୍ରକାର ରାଲିର ଆୟୋଜନ କରିପାରିବେ ନାହିଁ। ଡୋର-ଟୁ-ଡୋର କ୍ୟାମ୍ପେନ ପାଇଁ କେବଳ ୫ ଜଣଙ୍କୁ ଅନୁମତି ମିଳିବ। ଜାନୁଆରୀ ୧୫ ପରେ ସ୍ଥିତିର ଅନୁଧ୍ୟାନ କରି ପରବର୍ତ୍ତି ନିର୍ଦ୍ଦେଶନାମା ଜାରି କରାଯିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ ।
ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି, ଗତ ଦୁଇ ବର୍ଷ ହେବ କୋଭିଡ୍ ନିୟମକୁ ଅନୁସରଣ କରି ନିର୍ବାଚନ ହୋଇ ଆସୁଛି। କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରଚାର ଉପରେ କଟକଣା ଲାଗୁ କରାଯାଇଛି। ସୁରକ୍ଷିତ ନିର୍ବାଚନ କରାଇବା ଆମର ଲକ୍ଷ୍ୟ । ଏଥର ୫ଟି ରାଜ୍ୟରେ ମୋଟ ୬୮୦ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ଏହି ୫ ରାଜ୍ୟରେ ୧୮ କୋଟି ୩୪ ଲକ୍ଷ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ।
Powered by Froala Editor