ଏଣିକି ନିର୍ବାଚନରେ ଆହୁରି ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ସାଂସଦ ପ୍ରାର୍ଥୀ

ନୂଆଦିଲ୍ଲୀ:ବଢିଲା ସାଂସଦ ଓ ବିଧାୟକଙ୍କ ଖର୍ଚ୍ଚ ସୀମା । ନିର୍ବାଚନ ଲଢିବାକୁ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ବୃଦ୍ଧି କରାଯାଇଛି । ଏଣିକି ନିର୍ବାଚନରେ ଆହୁରି ୨୫ ଲକ୍ଷ ଟଙ୍କା ଅଧିକ ଖର୍ଚ୍ଚ କରିପାରିବେ ସାଂସଦ ପ୍ରାର୍ଥୀ । ପୂର୍ବରୁ ସାଂସଦମାନେ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏବେ ଏହାକୁ ୯୫ ଲକ୍ଷକୁ ବୃଦ୍ଧି କରାଯାଇଛି ।
ସେହିପରି ପୂର୍ବରୁ କେନ୍ଦ୍ର ଶାସିତ ଅଞ୍ଚଳର ସାଂସଦ ପ୍ରାର୍ଥୀଙ୍କ ଖର୍ଚ୍ଚ ୫୪ ଲକ୍ଷ ଟଙ୍କା ଥିବାବେଳେ ଏବେ ତାହାକୁ ବୃଦ୍ଧି ଘଟାଯାଇ ୭୦ ଲକ୍ଷ କରାଯାଇଛି । ବିଧାୟକ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୨୮ ଲକ୍ଷରୁ ୪୦ ଲକ୍ଷକୁ ବୃଦ୍ଧି କରାଯାଇଛି । ଏ ନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଉତ୍ତର ପ୍ରଦେଶ ସମେତ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ତାରିଖ ଖୁବ୍ ଶୀଘ୍ର ଘୋଷଣା ହୋଇପାରେ। ଏହାକୁ ନେଇ ରାଜନୈତିକ ଦଳମାନେ ନିଜ ନିଜ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିର୍ବାଚନ ଆୟୋଗ ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ କରିବାକୁ ଚାହୁଁଛନ୍ତି। ତେଣୁ ଆଶା କରାଯାଉଛି ଯେ, ଖୁବ ଶୀଘ୍ର ନିର୍ବାଚନ ତାରିଖ ଘୋଷଣା ହେବ। ଏହା ପୂର୍ବରୁ ଆୟୋଗ ନିର୍ବାଚନକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ଭାରତର ନିର୍ବାଚନ ଆୟୋଗ ଲୋକସଭା ଓ ବିଧାନସଭା ନିର୍ବାଚନରେ ଖର୍ଚ୍ଚ ସୀମା ବଢ଼ାଇବା ପ୍ରସ୍ତାବକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ଇସିଆଇ କହିଛନ୍ତି ଯେ, ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ଖର୍ଚ୍ଚ କରାଯାଉଥିବା ଧନରାଶିକୁ ବଢ଼ାଇ ଦିଆଯାଇଛି। ନୂଆ ଖର୍ଚ୍ଚ ସୀମା ଆଗାମୀ ସମସ୍ତ ନିର୍ବାଚନ ପାଇଁ ଲାଗୁ ହେବ। ଆୟୋଗଙ୍କ ଅନୁସାରେ ସାଂସଦ ପ୍ରାର୍ଥୀ ଏଣିକି ନିର୍ବାଚନରେ ସର୍ବାଧିକ ୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ପୂର୍ବରୁ ଏହି ଖର୍ଚ୍ଚ ସୀମା ସର୍ବାଧିକ ୭୦ ଲକ୍ଷ ଟଙ୍କା ଥିଲା।
ସେହିପରି ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ବିଧାୟକ ପ୍ରାର୍ଥୀ ପ୍ରଚାର ପାଇଁ ସର୍ବାଧିକ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ପୂର୍ବରୁ ଏହା ସର୍ବାଧିକ ୨୮ ଲକ୍ଷ ଟଙ୍କାରେ ସୀମିତ ଥିଲା।
Powered by Froala Editor