ଏହି ଲକ୍ଷଣ ସବୁ ଥିଲେ କରନ୍ତୁ କରୋନା ଟେଷ୍ଟ, ଜାଣନ୍ତୁ କେଉଁ ଲକ୍ଷଣ

ଭୁବନେଶ୍ୱର : ଦିନକୁ ଦିନ କରୋନାର ନୂଆ ନୂଆ ଲକ୍ଷଣ ଦେଖିବାକୁ ମିଳୁଛି । ପେଟଜନିତ ରୋଗ ବି କରୋନାର ପ୍ରାକ୍ ଲକ୍ଷଣ ହୋଇପାରେ । ତରଳ ଝାଡ଼ା, ବାନ୍ତି ବାନ୍ତି ଲାଗିବା, ବାନ୍ତି ହେବା, ପେଟରେ ଯନ୍ତ୍ରଣା ହେବା, ଭୋକ କମିଯିବା ଆଦି ଏହି ନୂଆ ରୋଗାର ଲକ୍ଷଣ ହୋଇପାରେ । ତେଣୁ ଏସବୁ ଲକ୍ଷଣ ଦେଖାଦେଉଥିଲେ ରୋଗୀମାନେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ଏସବୁ ଲକ୍ଷଣ ଥାଇ ରୋଗୀ ବିଳମ୍ବରେ ଡାକ୍ତରଖାନା ଆସିବା ଦ୍ୱାରା କରୋନା ଚିକିତ୍ସା ବିଳମ୍ବ ହୋଇଯାଉଛି । ଫଳରେ କରୋନାରେ ଆକ୍ରାନ୍ତ ହୋଇଥିଲେ ଜୀବନ ପ୍ରତି ବିପଦ ରହୁଛି । ଡାକ୍ତରଙ୍କ କହିବାନୁଯାୟୀ, ପତଳା ଝାଡ଼ା ହୋଇ କୋଭିଡ୍ ପଜିଟିଭ୍ ହେବାର ବହୁ ନମୁନା ଦେଖିବାକୁ ମିଳୁଛି । ଯଦି ଏସବୁ ଲକ୍ଷଣକୁ ହାଲ୍କା ଭାବେ ନିଆଯାଏ ଏବଂ ଚିକିତ୍ସା କରା ନ ଯାଏ ତାହେଲେ ପରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଏପରିକି ପେଟରୋଗର ସାମାନ୍ୟ ଲକ୍ଷଣ ଦେଖାଗଲେ ମଧ୍ୟ ଯକୃତ ଉପରେ ତାହାର ପ୍ରଭାବ ପଡ଼ିବା ପୂର୍ବରୁ ଲୋକମାନେ ପରୀକ୍ଷା କରାଇ ନେବା ଆବଶ୍ୟକ । ସମ୍ ହସ୍ପିଟାଲ, ଭୁବନେଶ୍ୱରର ବରିଷ୍ଠ ପେଟରୋଗ ବିଶେଷଜ୍ଞ ଡାକ୍ତର ମନୋଜ ସାହୁଙ୍କ କହିବାନୁଯାୟୀ, ଏସ୍-୨ ରିସେପ୍ଟର ମାଧ୍ୟମରେ କୌଣସି ଭୂତାଣୁ ଶରୀର ମଧ୍ୟକୁ ପ୍ରବେଶ କରି ବ୍ୟାପିଥାଏ । ଏସ୍-୨ ରିସେପ୍ଟର ଖାଦ୍ୟନଳୀରେ ମଧ୍ୟ ରହିଥାଏ । ଅର୍ଥାତ୍ ଖାଦ୍ୟ ନଳୀ ମାଧ୍ୟମରେ ବି କରୋନା ଭୂତାଣୁ ବ୍ୟାପିପାରିବ । ଯକୃତ ଏବଂ ଖାଦ୍ୟନଳୀରେ କରୋନା ଭୂତାଣୁ ରହିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ବି ଜଣାଯାଇଛି । ତେଣୁ ପେଟଜନିତ ରୋଗ ଭୋଗୁଥିବା ବ୍ୟକ୍ତିମାନେ କରୋନା ପରୀକ୍ଷା କରାଇ ନେବା ଆବଶ୍ୟକ । ଏହାହେଲେ ସଂପୃକ୍ତ ବ୍ୟକ୍ତି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି କି ନାହିଁ ତାହା ଜଣାପଡ଼ିବ ବୋଲି ଡାକ୍ତର ସାହୁ କହିଛନ୍ତି । ଡାକ୍ତରମାନେ ଏହା ମଧ୍ୟ କହିଛନ୍ତି, ଚୀନର ଉହାନ ସହର ଯେଉଁଠି କରୋନା ରୋଗର ଉତ୍ପତ୍ତି ହୋଇଥିଲା ସେଠାରେ ୭ ପ୍ରତିଶତ ରୋଗୀ ପେଟଜନିତ ରୋଗରେ ପୀଡ଼ିତ ହୋଇଥିବା ଜଣାଯାଇଛି । ପେଟଜନିତ ରୋଗର ଲକ୍ଷଣକୁ ଅଣଦେଖା କରିଲେ ଜଣଙ୍କର କରୋନା ଚିକିତ୍ସା ମଧ୍ୟ ବିଳମ୍ବିତ ହେବ । ଯକୃତକୁ ଦୁଇଟି ଉପାୟରେ କରୋନା ଭୂତାଣୁ ପ୍ରଭାବିତ କରିପାରେ । ପ୍ରଥମତଃ ଏହା ସିଧାସଳଖ ଯକୃତକୁ ପ୍ରଭାବିତ କରିଥାଏ ଯାହାକୁ ଡାକ୍ତରୀ ଭାଷାରେ ସାଇଟୋଟକ୍ସିକ୍ କୁହାଯାଏ । ଦ୍ୱିତୀୟତଃ ଇମ୍ୟୁନୋଲୋଜିକାଲ ଆଘାତ । ଏହାଦ୍ୱାରା ଯକୃତ ଏନଜାଇମ୍ କ୍ଷରଣ ବହୁଗୁଣିତ ହୋଇ ଯକୃତ ଅକାମୀ ହେବାର ଶେଷ ପର୍ଯ୍ୟାୟରେ ପହଞ୍ଚିବାର ଆଶଙ୍କା ରହିଥାଏ ବୋଲି ଡାକ୍ତର ସାହୁ କହିଛନ୍ତି ।
Powered by Froala Editor