ଚଳିତ ବର୍ଷ ଚିଲିକାରେ କମିଲେ ପକ୍ଷୀ
ଭୁବନେଶ୍ୱର: ଚିଲିକାରେ ଶୀତକାଳୀନ ପକ୍ଷୀ ଗଣନା ଶେଷ ହୋଇଛି । ଚଳିତ ବର୍ଷ ମୋଟ ୧୦ଲକ୍ଷ ୭୪ହଜାର ୧୭୩ଟି ପକ୍ଷୀଙ୍କ ସମାଗମ ହୋଇଥିବା ଜଣାପଡ଼ିଛି । ଗତବର୍ଷ ୧୨ଲକ୍ଷ ୪୨ହଜାର ୮୨୬ଟି ପକ୍ଷୀଙ୍କ ସମାଗମ ହୋଇଥିଲା । ଏଥର ୧୬ ପ୍ରତିଶତ ହ୍ରାସ ପାଇଛି ।
ସେହିପରି ୧୫.୫୩ ବର୍ଗ କି.ମି ପରିବ୍ୟାପ୍ତ ପକ୍ଷୀ ଅଭୟାରଣ୍ୟ ନଳବଣରେ ଚଳିତ ବର୍ଷ ୯୭ପ୍ରଜାତିର ୩ଲକ୍ଷ ୫୮ହଜାର ୮୮୯ଟିି ପକ୍ଷୀଙ୍କ ସମାଗମ ହୋଇଛି । ଗତବର୍ଷ ଏଠାରେ ୪ ଲକ୍ଷ ୨୪ହଜାର ୭୮୮ପକ୍ଷୀଙ୍କ ସମାଗମ ହୋଇଥିଲା । ଏଠାରେ ମଧ୍ୟ ଚଳିତ ବର୍ଷ ୬୫ ହଜାର ୮୮୯ଟି ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇଛି । ଗତ ବର୍ଷ ୧୯୦ ପ୍ରଜାତିର ସ୍ଥାନୀୟ ଓ ବିଦେଶୀ ପକ୍ଷୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଚଳିତ ବର୍ଷ ୧୮୩ଟି ପ୍ରଜାତିର ପକ୍ଷୀଙ୍କ ସମାଗମ ହୋଇଥିବା ଗଣନାରୁ ଜଣାଯାଇଛି । ସେଥିମଧ୍ୟରୁ ବିଦେଶାଗତ ୧୦୭ ଓ ସ୍ଥାନୀୟ ୭୬ ପ୍ରଜାତିର ପକ୍ଷୀ ଅଛନ୍ତି । ତେବେ ବହୁ ବର୍ଷ ଧରି ଚିଲିକାରେ ଦେଖିବାକୁ ମିଳୁନଥିବା ମଙ୍ଗୋଲଏଡ଼ଗଲ ପ୍ରଜାତିର ପକ୍ଷୀ ଚଳିତ ବର୍ଷ ୨ଟି ଦେଖାଯାଇଛି ।
ଚିଲିକାରେ ଚଳିତ ବର୍ଷ ପକ୍ଷୀ ସଂଖ୍ୟା ହ୍ରାସର କାରଣ ସମ୍ପର୍କରେ ପିସିସିଏଫ୍ ପ୍ରଶାନ୍ତ ମିଶ୍ର କହିଛନ୍ତି, ଚିଲିକାରେ ଜଳସ୍ତର ଅଧିକା ଥିବା ହେତୁ ପକ୍ଷୀମାନେ ଖାଦ୍ୟ ଅନ୍ୱେଷଣରେ ବିଶେଷକରି ତଟବର୍ତୀ ଅଞ୍ଚଳ ଚାଷଜମି ଉପରେ ନିର୍ଭର କରି ସମାଗମ ହୋଇଥିବା ସେ କହିଛନ୍ତି ।
ବନ୍ୟପ୍ରାଣୀ ବିଭାଗ ଅଧୀନ ୫ଟି ରେଞ୍ଜ ଚିଲିକା, ସାତପଡ଼ା, ରମ୍ଭା, ବାଲୁଗାଁ ଓ ଟାଙ୍ଗୀ ଚିଲିକାଞ୍ଚଳରେ ଏହି ପକ୍ଷୀ ଗଣନା କରାଯାଇଥିଲା । ବିଭାଗ ପକ୍ଷରୁ ସମଗ୍ର ଚିଲିକାକୁ ୨୧ଟି ଜୋନ୍ରେ ବିଭକ୍ତ କରାଯାଇ ୨୧ଟି ଦଳକୁ ନିୟୋଜିତ କରାଯାଇଥିଲା । ନଳବଣରେ କେବଳ ୬ଟି ଦଳ ରହି ପକ୍ଷୀ ଗଣନା କରିଥିବା ବେଳେ ସ୍ଥଳଭାଗରେ ୨, ଅବଶିଷ୍ଟ ୧୩ଟି ଦଳ ଅନ୍ୟାନ୍ୟ ଜୋନ୍ ତଥା ବାଲିପାଟପୁର ଠାରୁ ସାତ ଭାୟା, ରମ୍ଭା, ମଙ୍ଗଳାଯୋଡ଼ି ଠାରୁ ଭୂଷଣ୍ଡପୁର, ସୋରଣ ଠାରୁ ନଈରୀ, କୃଷ୍ଣପ୍ରସାଦ, କାଳିଜାଈ ଠାରୁ ଚନ୍ଦ୍ରାପୁଟ, ସାତପଡ଼ା ଠାରୁ ଗମ୍ଭାରୀ ଓ ଗୁରୁବାଇ, ଅରଖକୁଦା, ଗୋଠକୁଦ ଠାରୁ ନୂଆପଡ଼ା ଆଦି ଅଞ୍ଚଳରେ ଗଣନା କରିଥିଲେ । ପକ୍ଷୀ ଗଣନାକାରୀଙ୍କୁ ମୋଟ ୨୧ଟି ଡଙ୍ଗା ଯୋଗାଇ ଦିଆଯାଇଥିଲା । ମଙ୍ଗଳବାର ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପକ୍ଷୀଗଣନା କରାଯାଇଥିଲା ।
Powered by Froala Editor