ଖ୍ରୀଷ୍ଟମାସରେ ସ୍କୁଲ ପିଲାଙ୍କୁ ମାଂସ ପରଷିଲେ ଶିକ୍ଷକ
ଖ୍ରୀଷ୍ଟମାସ ପାଳନ ବେଳେ ଶିକ୍ଷାର୍ଥୀମାନଙ୍କୁ ମାଂସ ପରିବେଷଣ କରିଥିବା ହେତୁ କର୍ଣ୍ଣାଟକର ବାଗଲକୋଟ୍ ଜିଲ୍ଲା ଅନ୍ତର୍ଗତ ଇଲ୍କାଲ୍ରେ ଥିବା ସେଣ୍ଟ୍ ପଲ୍ ସ୍କୁଲ୍ ବନ୍ଦ କରିବାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଦେଶ ଦେଇଛନ୍ତି। ତେବେ ବ୍ଲକ୍ ଶିକ୍ଷା ଅଧିକାରୀ ଶିକ୍ଷା ବିଭାଗର ବିନା ଅନୁମତିରେ ଏଭଳି କରିଥିବା ଜଣାପଡ଼ିଛି।
ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏକ ଚିଠି ଲେଖି ବ୍ଲକ୍ ଶିକ୍ଷା ଅଧିକାରୀ କହିଛନ୍ତି ଯେ ‘ଖ୍ରୀଷ୍ଟମାସ ସେଲିବ୍ରେସନ୍ ବେଳେ ଛାତ୍ରଛାତ୍ରୀଙ୍କୁ ମାଂସ ପରଷିବା ଶିକ୍ଷା ବିଭାଗ ଓ ସାଧାରଣ ଲୋକଙ୍କ ପାଇଁ ଲଜ୍ଜାଜନକ ଘଟଣା। ତେଣୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସ୍କୁଲକୁ ଖୋଲାଯାଇପାରିବ ନାହିଁ।’ ତେବେ ଘଟଣା ଯେତେବେଳେ ଶିକ୍ଷା ବିଭାଗ ନଜରକୁ ଆସିଲା, ତୁରନ୍ତ ଏହି ନିର୍ଦ୍ଦେଶକୁ ବାତିଲ କରି ଦିଆଯାଇଛି। ଜିଲ୍ଲା କମିସନର୍ କିଂବା ଶିକ୍ଷା ବିଭାଗକୁ ନ ଜଣାଇ ସ୍ଥାନୀୟ ଅଧିକାରୀ ସ୍କୁଲ୍ ବନ୍ଦ କରିବାକୁ ଆଦେଶ ଦେଇଥିଲେ ବୋଲି କୁହାଯାଉଛି। ଉକ୍ତ ସ୍କୁଲ ତା’ର ପିଲାମାନଙ୍କୁ ଜୋର ଜବରଦସ୍ତି ଖ୍ରୀଷ୍ଟ ଧର୍ମ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଇବା ସହ ବାଇବଲକୁ ବିଶ୍ୱାସ କରିବା ପାଇଁ ସେମାନଙ୍କୁ ବାଧ୍ୟ କରୁଥିବା ପୂର୍ବରୁ ଦକ୍ଷିଣପନ୍ଥୀ ଗୋଷ୍ଠୀ ବିରୋଧ ପ୍ରଦର୍ଶନ କରିବା ସହ ଅଭିଯୋଗ ଆଣିଥିଲା।
Powered by Froala Editor