ଏସଟିପିଆଇ ଓ ସେଲ୍ ରାଉରକେଲା ଇସ୍ପାତ କାରଖାନା ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର

ଭୁବନେଶ୍ୱର : ଇଣ୍ଡଷ୍ଟ୍ରିଜ ୪.୦ ସିଓଇ (ଏମ୍ ଟେକ୍) ଏବଂ ନବସୃଜନ ଓ ଷ୍ଟାର୍ଟଅପ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ସକାଶେ ଏସଟିପିଆଇ ଏବଂ ସେଲ୍ ରାଉରକେଲା ଇସ୍ପାତ କାରଖାନା, ରାଉରକେଲା ମଧ୍ୟରେ ଏକ ବୁଝାମଣାପତ୍ର ଏସଟିପିଆଇ-ଭୁବନେଶ୍ୱର ଠାରେ ସ୍ୱାକ୍ଷରିତ ହୋଇଯାଇଛି ।
ଏହି ବୁଝାମଣାପତ୍ରରେ ମୂଳ ଲକ୍ଷ୍ୟ ହେଉଛି ଭୁବନେଶ୍ୱର ଏବଂ ରାଉରକେଲାରେ ନୂତନ ପ୍ରଯୁକ୍ତି (ଏମର୍ଜିଂ ଟେକ୍ନୋଲୋଜିସ) ଉପରେ ସ୍ଥାପିତ ହେବାକୁ ଯାଉଥିବା ଏସଟିପିଆଇ ଔଦ୍ୟୋଗିକତା କେନ୍ଦ୍ର (ଏସ୍ଟିପିଆ ସେଣ୍ଟର ଅଫ ଏଣ୍ଟରପ୍ରିନ୍ୟୋରସିପ୍)କୁ ସମର୍ଥନ ଯୋଗାଇଦେବାକୁ ଏସ୍ଟିପିଆଇ ଏବଂ ସେଲ୍-ଆରଏସପି ମଧ୍ୟରେ ଏକ ମଜଭୁତ ଏବଂ ଅର୍ଥପୂର୍ଣ୍ଣ ମେଣ୍ଟ ଗଠନ କରିବା । ଏମ୍ ଟେକ୍ ନାମରେ ପରିଚିତ ଏହି କେନ୍ଦ୍ର ଭାରତ ସରକାରଙ୍କର ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ପାଣ୍ଠି ସହାୟତାରେ ସ୍ଥାପନ କରାଯାଉଛି ।
ମାର୍ଗଦର୍ଶନ, ଭିତ୍ତିଭୂମିର ଏବଂ ଅନ୍ୟାନ୍ୟ ସୁବିଧାର ସୁଯୋଗ ନେବା, ନେଟୱର୍କିଂ ଏବଂ ପାଣ୍ଠି ବ୍ୟବସ୍ଥା ଆଦି କ୍ଷେତ୍ରରେ ସୁଦୃଢ ସହଯୋଗ ସ୍ଥାପନ ନିମନ୍ତେ ଏହି ବୁଝାମଣାପତ୍ରରେ ଲକ୍ଷ୍ୟ ରଖାଯାଇଛି । ଉଭୟ ଏସଟିପିଆଇ ଏବଂ ସେଲ୍, ଆରଏସପି ସୂଚନା ଓ ଜ୍ଞାନର ସୁରୁଖୁରୁରେ ବିନିମୟକୁ ଉତ୍ସାହିତ କରିବେ ଏବଂ ପ୍ରଯୁକ୍ତିର ରୂପାୟନ କ୍ଷେତ୍ରରେ ଏସଟିପିଆଇର ସମୃଦ୍ଧ ଅଭିଜ୍ଞତା ଏବଂ ଶିଳ୍ପ ଉତ୍ପାଦନ, ଗବେଷଣା ଓ ବିନିର୍ମାଣ, ଗବେଷଣା ଓ ବିକାଶ ଆଦି କ୍ଷେତ୍ରରେ ଉତ୍କର୍ଷ ହାସଲ ଦ୍ୱାରା ସେଲ୍-ଆରଏସପିର ମଜଭୁତ ଶିଳ୍ପ ଦୃଷ୍ଟିଭଙ୍ଗୀ ଭଳି ପାରସ୍ପରିକ ସାମର୍ଥ୍ୟରୁ ଫାଇଦା ଉଠାଇବାକୁ ଏକ କାର୍ଯ୍ୟାନ୍ୱୟନ ଯୋଜନା ପ୍ରସ୍ତୁତ କରିବେ । ଭୁବନେଶ୍ୱରରେ ସ୍ଥାପିତ ହେବାକୁ ଯାଉଥିବା ଅତ୍ୟାଧୁନିକ ସୁବିଧା (ବିପିୟୁଟି ରାଉରକେଲାରେ ଏକ ସାଟେଲାଇଟ କେନ୍ଦ୍ର ସହିତ), ଏସଟିପିଆଇର ଅନ୍ୟତମ ଅଗ୍ରଣୀ ଔଦ୍ୟୋଗିକତା କେନ୍ଦ୍ର (ସିଓଇ) ହେବ ଏବଂ ଏହି ବୁଝାମଣାପତ୍ର ଅନୁଯାୟୀ ଏହା ଉଭୟ ସଂସ୍ଥାନ ଦ୍ୱାରା ସମସ୍ତ ପ୍ରୟାସର ମୂଳ ବିନ୍ଦୁ ହେବ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତ ସରକାରଙ୍କ ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ସଫ୍ଟୱେର ଟେକ୍ନୋଲୋଜି ପାର୍କ୍ସ ଅଫ ଇଣ୍ଡିଆ (ଏସ୍ଟିପିଆଇ) ଦେଶରୁ ସଫ୍ଟୱେର ଏବଂ ସୂଚନା ପ୍ରଯୁକ୍ତି ରପ୍ତାନିକୁ ପ୍ରୋତ୍ସାହିତ କରିବା ଉପରେ ନିର୍ଦ୍ଦିଷ୍ଟ ଭାବରେ ଦୃଷ୍ଟିନିବଦ୍ଧ ପୂର୍ବକ ସ୍ଥାପିତ ହୋଇଛି । ଏହାର ଆରମ୍ଭ ଦିନଠାରୁ ଏସଟିପିଆଇ ଦୀର୍ଘ ପଥ ଅତିକ୍ରମ କରିସାରିଛି ଏବଂ ଆଉଟସୋର୍ସ କରାଯାଉଥିବା ସୂଚନା ପ୍ରଯୁକ୍ତି ଏବଂ ସୂଚନା ପ୍ରଯୁକ୍ତି ସମର୍ଥିତ ସେବା ନିମନ୍ତେ ସବୁଠାରୁ ପସନ୍ଦଯୋଗ୍ୟ ସ୍ଥଳ ଭାବରେ ଭାରତକୁ ଅବସ୍ଥାପିତ କରିବା ଦିଗରେ ଏହାର ଲକ୍ଷ୍ୟ ହାସଲରେ ଅତ୍ୟନ୍ତ ସଫଳ ହୋଇଛି । ସଂପ୍ରତି ଏସ୍ଟିପିଆଇର ଭୁବନେଶ୍ୱର ଓ ରାଉରକେଲା ସମେତ ସମଗ୍ର ଭାରତରେ ୬୧ଟି କେନ୍ଦ୍ର ରହିଛି ।
ଏହାର ନୂତନ ଯାତ୍ରାରେ ଏସ୍ଟିପିଆଇ ଦେଶରେ ସର୍ବବୃହତ ପ୍ରଯୁକ୍ତି ଷ୍ଟାର୍ଟଅପ୍ ପରିବ୍ୟବସ୍ଥାରେ ପରିଣତ ହେବାର ଅଭିଳାଷ ରଖିଛି ଏବଂ ଦେଶକୁ ଏକ ସଫ୍ଟୱେର ଉତ୍ପାଦ ରାଷ୍ଟ୍ରରେ ରୂପାନ୍ତରିତ କରିବା ଦିଗରେ ପ୍ରୟାସ ଜାରି ରଖିଛି । ଏଥିପାଇଁ ଏସ୍ଟିପିଆଇ ଏକ ସହଭାଗୀ ଢାଞ୍ଚା ଅନୁସରଣ କରୁଛି, ଯେଉଁଠାରେ ସରକାର, ଶିଳ୍ପ, ଶିକ୍ଷାନୁଷ୍ଠାନ ଏବଂ ଅନ୍ୟ ସହଭାଗୀମାନେ ଷ୍ଟାର୍ଟଅପ୍ଗୁଡିକୁ ଆରମ୍ଭରୁ ଶେଷଯାଏ ସମର୍ଥନ ଯୋଗାଇ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ଏହି ଦୂରଦୃଷ୍ଟି ଅନୁଯାୟୀ ଏସ୍ଟିପିଆଇ ରାଜ୍ୟରେ ଷ୍ଟାର୍ଟଅପ୍ଗୁଡିକୁ ପ୍ରୋତ୍ସାହିତ କରିବା ଏବଂ ଗବେଷଣା ଓ ବିକାଶ, ନବୋନ୍ମେଷ, ଉତ୍ପାଦର ବିକାଶ ଏବଂ ଔଦ୍ୟୋଗିକତାକୁ ଉତ୍ସାହିତ କରିବା ସକାଶେ ଏକ ପୂର୍ଣ୍ଣାଙ୍ଗ ପରିବ୍ୟବସ୍ଥା ସୃଷ୍ଟି କରିବାକୁ ସୁଯୋଗ ସୃଷ୍ଟିକାରୀ ପ୍ରଯୁକ୍ତିରେ ଔଦ୍ୟୋଗିକତା କେନ୍ଦ୍ରସମୂହ (ସିଓଇ) ସ୍ଥାପନ କରିଛି । ବର୍ତ୍ତମାନ ସୁଦ୍ଧା ଏସ୍ଟିପିଆଇ ସମଗ୍ର ଦେଶରେ ଇଲେକଟ୍ରୋପ୍ରିନ୍ୟୋର ପାର୍କ (ଇଏସଡିଏମ୍ ଇନ୍କ୍ୟୁବେସନ ସିଓଇ) ଏବଂ ଭର୍ଚୁଆଲ ଅଗ୍୍ମେଣ୍ଟେଡ ରିଅଲିଟି (ଭିଏଆର ସିଓଇ) ସମେତ ନିର୍ଦ୍ଦିଷ୍ଟ ବିଷୟ ଉପରେ ୨୦ଟି ଔଦ୍ୟୋଗିକତା କେନ୍ଦ୍ର (ସିଓଇ) ସ୍ଥାପନ କରୁଛି ଏବଂ ଭୁବନେଶ୍ୱରରେ ତୃତୀୟ ବିଷୟ ଭାବରେ ଇଣ୍ଡଷ୍ଟ୍ରି ୪.୦ ସିଓଇ (ଏମ୍ ଟେକ୍) ସ୍ଥାପନ କରାଯାଉଛି ।
ଅନ୍ୟପକ୍ଷରେ ସେଲ୍ ରାଉରକେଲା ଇସ୍ପାତ କାରଖାନା, ଭାରତର ଅନ୍ୟତମ ସର୍ବବୃହତ ସମନ୍ୱିତ ଇସ୍ପାତ କାରଖାନା ଭାବରେ ପରିଚିତ ଏବଂ ପ୍ଲେଟ ମିଲ୍ ପ୍ଲେଟ୍ଓ, ଏଚଆର ପ୍ଲେଟ୍ଓ, ଏଚଆର କଏଲ୍ସ, ଇଆରଡବ୍ଲୁ ପାଇପ୍ସ, ଏସଡବ୍ଲୁ ପାଇପ୍ସ, ସିଆର ସିଟ୍ସ ଓ କଏଲ୍ସ, ଗାଲ୍ଭାନାଇଜ୍ଡ ସିଟ୍ସ, ସିଲିକନ ଷ୍ଟିଲ ସିଟ୍, ଏକ୍ସପୋର୍ଟ ସ୍ଲାବ ଆଦି ଉଚ୍ଚ ଗୁଣମାନର ଇସ୍ପାତ ସାମଗ୍ରୀ ଉତ୍ପାଦନ ଜରିଆରେ ଭାରତ ସରକାରଙ୍କ ‘ମେକ୍ ଇନ ଇଣ୍ଡିଆ’ ପ୍ରୟାସ ଅଧୀନରେ ରାଷ୍ଟ୍ର ନିର୍ମାଣ ପ୍ରତି ପ୍ରତିବଦ୍ଧ ରହିଛି ଏବଂ ଏଠାରେ ବ୍ୟାପକ ସ୍ୱୟଂଚାଳିତ ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି ।
ଏସ୍ଟିପିଆଇ ଏବଂ ସେଲ୍-ଆରଏସପି ମଧ୍ୟରେ ସହଭାଗିତା ଏକ ମଜଭୁତ ମଞ୍ଚ ସ୍ଥାପନ କରିବା ସହିତ ନବୋନ୍ମେଷକୁ ପ୍ରେରିତ କରିବ ଏବଂ ଷ୍ଟାର୍ଟଅପ୍ଗୁଡିକରେ ନବସୃଜନକୁ ପ୍ରୋତ୍ସାହିତ କରିବା ସହିତ ରାଜ୍ୟରେ ନବୋନ୍ମେଷ ପରିଚାଳିତ ଔଦ୍ୟୋଗିକତା ସୃଷ୍ଟି କରିବା ମନେ କରାଯାଉଛି ।
ଏହି ବୁଝାମଣାପତ୍ର ଆରଏସ୍ପିରେ ଡିଜିଟାଲାଇଜେସନ ଅଭିଯାନରେ ଉନ୍ନତି ଆଣିବା ଏବଂ ଇଣ୍ଡଷ୍ଟ୍ରି ୪.୦ ମାନକର ରୂପାୟନ ନିମନ୍ତେ ଲକ୍ଷ୍ୟ ରଖିଛି ।
ଏସ୍ଟିପିଆଇ-ଭୁବନେଶ୍ୱରର ଜୁରିସ୍ଡିକ୍ସନାଲ ଡାଇରେକ୍ଟର (ଓଡ଼ିଶା, ବିହାର ଓ ଝାଡଖଣ୍ଡ) ଶ୍ରୀ ମାନସ ପଣ୍ଡା ଏବଂ ରାଉରଲୋ ଇସ୍ପାତ କାରଖାନା, ସେଲ୍ର ଏକ୍ଜିକ୍ୟୁଟିଭ ଡାଇରେକ୍ଟର (ୱାର୍କସ) ଶ୍ରୀ ଏସ.ଆର.ସୂର୍ଯ୍ୟବଂଶୀଙ୍କ ମଧ୍ୟରେ ଏସ୍ଟିପିଆଇ ଏବଂ ସେଲ୍ ଆରଏସପିର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।
Powered by Froala Editor