କରୋନାରେ ଚାଲିଗଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ !

ବରିଷ୍ଠ ସାମ୍ବାଦିକ ଅମଜାଦ୍ ବାଦସାଙ୍କ କରୋନାରେ ମୃତ୍ୟୁ ହୋଇଥିବା ନିର୍ଭର ସୂତ୍ରରୁ ଖବର ଆସିଛି। କିଛିଦିନ ତଳେ ଅମଜାଦ୍ ଙ୍କ ଠାରେ କୋଭିଡ ଲକ୍ଷଣ ଦେଖା ଦେବା ପରେ ସେ କରୋନା ଟେଷ୍ଟ କରାଇଥିଲେ । ପରେ ଝାରସୁଗୁଡ଼ା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇ ଆସୁଥିଲେ । ସ୍ୱାସ୍ଥ୍ୟବସ୍ଥା ଗୁରୁତ୍ତର ହେବାରୁ ଅମଜାଦଙ୍କୁ ରାଉରକେଲାସ୍ଥିତ ହାଇଟେକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ସେଠାରେ ଆଜି ତାଙ୍କର ମୃତ୍ୟୁ ଘଟିଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ରାଉରକେଲା ADM ଅବୋଲୀ ସୁନୀଲ ନର୍ବଣେ କହିଛନ୍ତି ଅମଜାଦ୍ ଜୟ ପ୍ରକାଶ ହସ୍ପିଟାଲର କୋଭିଡ ୱାର୍ଡରେ ଚିକିତ୍ସିତ ହେଉଥିଲେ। କିନ୍ତୁ ତାଙ୍କର ମୃତ୍ୟୁ କରୋନା ଯୋଗୁ ହୋଇଛି ନାହିଁ ତାହା ଦୁଇରୁ ତିନିଦିନ ମଧ୍ୟରେ ଜଣା ପଡିବ।
ଅମଜାଦ୍ ଝାରସୁଗୁଡ଼ା ଓ ବଲାଙ୍ଗୀର ଭଳି ଜିଲ୍ଲାରେ ପ୍ରାୟ ଏକ ଦଶନ୍ଧିରୁ ଅଧିକ ହେବ ସକ୍ରିୟ ସାମ୍ବାଦିକ ଭାବେ କାମ କରି ଆସୁଥିଲେ। ଭାରତୀୟ ଜନ ସଂଚାର ସଂସ୍ଥାନ(ଢ଼େଙ୍କାନାଳ)ରୁ ସାମ୍ବାଦିକତା ପାଠ୍ୟକ୍ରମ ଶେଷ କରିବା ପରେ କ୍ୟାରିଅର ଆରମ୍ଭ କରିଥିଲେ ସେ । ଉଭୟ ପ୍ରିଣ୍ଟ ଓ ଟେଲିଭିଜନ ସାମ୍ବାଦିକତାରେ ଅଭିଜ୍ଞତା ସାଉଁଟି ଥିବା ଅମଜାଦ୍ ନିଜ ପେଶାଗତ ଜୀବନରେ ବେଶ ସୁନାମ ଅର୍ଜନ କରିଥିଲେ।
ଅମଜାଦଙ୍କ ପରିବାର ସାରା ଓଡିଶାରେ ପରିଚିତ । ସାମ୍ପ୍ରଦାୟିକ ସଦଭାବନାର ଏକ ନିଛକ ଉଦାହରଣରେ ସୃଷ୍ଟି କରିଛି ଅମଜାଦଙ୍କ ପରିବାର । ଝାରସୁଗୁଡାର ରେମାଣ୍ଡ ଗାଁରେ ଆୟୋଜିତ ରଥଯାତ୍ରାରେ ଅମଜାଦଙ୍କ ପରିବାର ମୁଖ୍ୟ ସଦସ୍ୟ ଛେରା ପହଁରା କରନ୍ତି । ଏହି ପରମ୍ପରା ବହୁ ବର୍ଷରୁ ଚାଲି ଆସୁଛି ।
ତେବେ ଗତ ଏପ୍ରିଲ ୭ରେ ତାଙ୍କୁ କରୋନା ହୋଇଥିବା ନେଇ ସେ ତାଙ୍କ ଫେସବୁକ୍ ଆକାଉଣ୍ଟରେ ପୋଷ୍ଟ କରିଥିଲେ। କୋଭିଡ୍ ପ୍ରୋଟୋକଲ ଅନୁଯାୟୀ ଆଇସୋଲେସନରେ ଥିବା ଉଲ୍ଲେଖ କରିଥିଲେ। ଏଥିସହ ମୋର ଆରୋଗ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ସେ ସମସ୍ତଙ୍କୁ ନିବେଦନ କରିଥିଲେ। ଆଜି ସନ୍ଧ୍ୟା ସମୟରେ ତାଙ୍କର ମୃତ୍ୟୁ ଘଟିଛି l ଅମଜାଦଙ୍କ ମୃତ୍ୟୁକୁ ନେଇ ସାମ୍ବାଦିକଙ୍କ ମହଲରେ ଶୋକର ଲହରୀ ଖେଳିଯାଇଛି ।
Powered by Froala Editor