ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼ : ୫୦ ଜଣଙ୍କ ମୃତ୍ୟୁ, ଉଦ୍ଧାର କାର୍ଯ୍ୟ ଜାରି
ଆମେରିକାରେ କେଣ୍ଟକି ମେଫିଲ୍ଡ ସମେତ ଅନେକ ଅଞ୍ଚଳରେ ଭୟଙ୍କର ଘୂର୍ଣ୍ଣିଝଡ଼ ହୋଇଛି। ଏଥିରେ ପ୍ରାୟ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏଥିସହ ଅନେକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏନେଇ ରାଜ୍ୟର ଗଭର୍ଣ୍ଣର ଏଣ୍ଡି ବେଶିଅର ସୂଚନା ଦେଇଛନ୍ତି। ସେ କହିଛନ୍ତି ରେସକ୍ୟୁ ଟିମ ସ୍ଥାନୀୟ ଅଞ୍ଚଳରେ ଉପସ୍ଥିତ ଅଛନ୍ତି ଏବଂ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ମେଫିଲ୍ଡ ଅଞ୍ଚଳରେ ମହମବତୀ କାରଖାନାରେ ଝଡ ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି।
ସୂଚନା ମୁତାବକ, ଶୁକ୍ରବାର ବିଳମ୍ବିତ ରାତିରେ ଆମେରିକାର ମଧ୍ୟ ଅଞ୍ଚଳରେ ଘୂର୍ଣ୍ଣିଝଡ ସୃଷ୍ଟି ହୋଇଥିଲା। ଏଥିଯୋଗୁଁ ଗ୍ରେବ୍ସ କେଣ୍ଟକି ସହର ଏବଂ ମେଫିଲ୍ଡ ସହର ଅଧିକ କ୍ଷତିଗ୍ରସ୍ତ ହୋଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବାସହରାଙ୍କୁ ପାଣି ଓ ଖାଦ୍ୟ ଯୋଗାଇ ଦିଆଯାଉଛି। ଏଥିସହ ରାଜ୍ୟରେ ରାତାରାତି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ରାଜ୍ୟପାଳ ଏଣ୍ଡି ବେଶିଅର।
ସେଠାକାର ପାଣିପାଗ ବିଭାଗର ସୂଚନାନୁସାରେ, ପାଞ୍ଜଟି ରାଜ୍ୟ ଆର୍କସସ, ଇଲିନୋଇସ, କେଣ୍ଟକି, ମିସୌରୀ ଏବଂ ଟେନେସିରେ ଅତି କମ୍ରେ ୨୪ଟି ଘୂର୍ଣ୍ଣିଝଡ ହେବା ସମ୍ଭାବନା ରହିଛି। ଆର୍କସସର ଅଧିକାରୀଙ୍କ କହିବା ମୁତାବକ, ସେଠାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ୨୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ଶନିବାର ଏହି ଘୂର୍ଣ୍ଣିଝଡ ଉତ୍ତର ଲୁଇସିୟାନାର ଦକ୍ଷିଣ ଓହିଓ ଆଡକୁ ବଢ଼ିପାରେ। ପୂର୍ବ ଆମେରିକାରେ ପ୍ରବଳ ବର୍ଷା ହେବା ମଧ୍ୟ ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି। ମିସୌରୀରେ ସେଣ୍ଟ ଚାର୍ଲ୍ସ ଲୁଇସ କାଉଣ୍ଟିର କିଛି ସ୍ଥାନରେ ଘଣ୍ଟା ପ୍ରତି ୧୧୨ ମାଇଲ ବେଗରେ ପବନ ବୋହୁଥିବା ଜଣାପଡିଛି। ଏଠାରେ ୩ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Powered by Froala Editor