ଏହି ଦିନଠୁ ବଢିବ ଶୀତର ପ୍ରକୋପ

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିବ ଶୀତ । ଏବେ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ । ବାତ୍ୟା ଜୱାଦ ପ୍ରଭାବରେ ମେଘୁଆ ପାଗ ଓ ବର୍ଷା ଯୋଗୁଁ ରାଜ୍ୟରେ ଶୀତର ପ୍ରକୋପ ହ୍ରାସ ପାଇଥିଲା । ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ଅଧିକ ରହିଥିଲା ।
ମାତ୍ର ଏହା ଧୀରେ ଧୀରେ ଖସିବା ଆରମ୍ଭ କରିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ସାମୁଦ୍ରିକ ଝଡ ଜୱାଦର ଦୁର୍ବଳ ଅବପାତ ଏବେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ସଂଲଗ୍ନ ପଶ୍ଚିମବଙ୍ଗ ଓ ବାଲାଂଦେଶ ଉପକୂଳରେ ଆହୁରି ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି । ଏହା ଉତ୍ତର-ପୂର୍ବ ଦିଗକୁ ଗତି କରିବା ସହ ଅଧିକ ଦୁର୍ବଳ ହୋଇ ସମୁଦ୍ରରେ ଲୀନ ହୋଇଯିବ ।
ସେପଟେ ଓଡିଶାରେ ଏହାର ଆଉ ବିଶେଷ ପ୍ରଭାବ ନାହିଁ । ତେଣୁ ଆଜି ଠାରୁ ପାଗ ଶୁଖିଲା ଓ ଖରାଟିଆ ରହିବ । ଆଜି ଦକ୍ଷିଣ ଓଡିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ପରେ ସାରା ଓଡିଶାର ପାଗରେ ପରିବର୍ତ୍ତନ ଆସିବ । ପାଗ ସମ୍ପୂର୍ଣ୍ଣ ଶୁଖିଲା ଓ ଖରାଟିଆ ରହିବ । ୧୧ ତାରିଖରୁ ଶୀତର ପ୍ରକୋପ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
Powered by Froala Editor