ବିଜେପି ନେତାଙ୍କ ଅସଲ ଚେହେରା ପଦାରେ ପଡ଼ିଲା

ଭୁବନେଶ୍ୱର: ପଦାରେ ପଡ଼ିଲା ବିଜେପି ନେତାଙ୍କ ଅସଲ ଚେହେରା । ଏପଟେ ମମିତାକୁ ନ୍ୟାୟ ମିଳୁ ବୋଲି ରାଜନୀତି ସେପଟେ ଅଭିଯୁକ୍ତ ଗୋବିନ୍ଦକୁ ଖସାଇବାକୁ ଷଡ଼ଯନ୍ତ୍ର । ଗୋବିନ୍ଦ ସପକ୍ଷରେ କେସ୍ ଲଢୁଛନ୍ତି ଜଣାଶୁଣା ବିଜେପି ନେତା । ମମିତା ମେହେର ହତ୍ୟା ମାମଲାକୁ ନେଇ ଦୀର୍ଘ ଦିନ ହେଲା ତୁମ୍ବିତୋଫାନ କରୁଛି ବିଜେପି । ଏଭଳି ଏକ ସମ୍ବେଦନଶୀଳ ମାମଲାରେ ରାଜନୈତିକ ଫାଇଦା ହାସଲ ପାଇଁ ବିଧାନସଭା ଭିତରେ ଓ ବାହାର ନାଟକବାଜି କରିବାକୁ ପଛାଉ ନାହିଁ ବିଜେପି । ହେଲେ ସେପଟେ ମମିତା ହତ୍ୟା ମାମାଲରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ବଞ୍ଚାଇବା ଲାଗି ବିଜେପି ନେତାମାନେ ସାଂଘାତିକ ଷଡ଼ଯନ୍ତ୍ର କରିଛନ୍ତି ।ଦଳର ଜଣେ ସକ୍ରିୟ ସଦସ୍ୟ ତଥା ଜଣାଶୁଣା ନେତା ମୋହନ ଲାଲ୍ ଶର୍ମାଙ୍କୁ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଗୋବିନ୍ଦ ସପକ୍ଷରେ କେସ୍ ଲଢ଼ାଉଛନ୍ତି । ଏଥିରୁ ବିଜେପି ନେତାଙ୍କ ଅସଲ ଚେହେରା ପଦାରେ ପଡ଼ିଯାଇଛି । ମମିତାଙ୍କୁ ନ୍ୟାୟ ପାଇଁ ଚିତ୍କାର କରୁଥିବା ବିଜେପି ନେତାମାନେ କେବଳ ଯେ ହୀନ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ତାହା ସ୍ପଷ୍ଟ ହୋଇଯାଇଛି ।
ମମିତା ହତ୍ୟା ମାମଲାରେ ଗୋବିନ୍ଦଙ୍କ ଓକିଲ ସାଜିଥିବା ମୋହନ ଲାଲ୍ ଶର୍ମା କଣ୍ଟାବାଞ୍ଜିରେ ବିଜେପିର ଜନ ସମ୍ପର୍କ ଯାତ୍ରାଠୁ ଆରମ୍ଭ କରି ବିଭିନ୍ନ ଦଳୀୟ କାର୍ୟ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରନ୍ତି । ୨୦୧୯ ନିର୍ବାଚନରେ କଣ୍ଟାବାଞ୍ଜିରୁ ବିଜେପି ପ୍ରାର୍ଥୀ ହେବା ଲାଗି ମଧ୍ୟ ସେ ଦୌଡ଼ରେ ଥିଲେ । ଏହାଛଡ଼ା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପିର ପୂର୍ବତନ ସଭାପତି ବସନ୍ତ ପଣ୍ଡା ଏବଂ ଦଳର ଅନ୍ୟ ବରିଷ୍ଠ ନେତାଙ୍କର ଘନିଷ୍ଠ ଭାବେ ସେ ବେଶ୍ ଜଣାଶୁଣା । ତାଙ୍କ ଭଳି ଦଳର ଜଣେ ସକ୍ରିୟ ନେତାଙ୍କୁ ଜହ୍ଲାଦ ଗୋବିନ୍ଦ ସାହୁକୁ ବଞ୍ଚାଇବା ଲାଗି ବିଜେପିର ବରିଷ୍ଠ ନେତାମାନେ ନିୟୋଜିତ କରିବା ପଛରେ ଯେ ଏକ ବଡ଼ ଷଡ଼ଯନ୍ତ୍ର ରହିଛି, ତାହା ଜଳଜଳ ଦିଶି ଯାଉଛି ବୋଲି କହିଛି ବିଜେଡି । ଏହା ଅତ୍ୟନ୍ତ ଲଜ୍ଜାଜନକ ଓ ନିନ୍ଦନୀୟ । ବିଜେପି ଏ ପାପ କୋଉଠି ଧୋଇବ ତାହା ଏବେ ରାଜ୍ୟବାସୀ ପ୍ରଶ୍ନ କରୁଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ ।
Powered by Froala Editor