ଚାରି କୋଚ୍ଙ୍କୁ ବାଧ୍ୟତାମୂଳକ ଅବସର
ଭୁବନେଶ୍ୱର: ପ୍ରଥମେ ସରକାରୀ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଉଥିଲା । ଏବେ କୋଚଙ୍କ ପାଳି । ଚାରି ଜଣ କୋଚ୍ଙ୍କୁ ବାଧ୍ୟତାମୂଳକ ଅବସରର ଦେଲେ ରାଜ୍ୟ ସରକାର । ଅପରାଗତା ଓ କାର୍ୟ୍ୟରେ ଅବହେଳା ଅଭିଯୋଗରେ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଓଡ଼ିଶା କାଉନସିଲ୍ ଅଫ୍ ସ୍ପୋର୍ଶର ଏହି ଚାରି ଜଣ ପ୍ରଶିକ୍ଷକ ହେଲେ ଭଲିବଲ କୋଚ୍ ପ୍ରଭାକର ତ୍ରିପାଠୀ ଓ ଜ୍ଞାନେନ୍ଦ୍ର ପ୍ରସାଦ ବଢ଼େଇ । ସେହିଭଳି ବକ୍ସିଂ କୋଚ୍ ଶଙ୍କର ପ୍ରସାଦ ଅଧିକାରୀ, ହ୍ୟାଣ୍ଡବଲ କୋଚ୍ ମନୋଜ କୁମାର ଦାସଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର ।
ସୂଚନା ଯୋଗ୍ୟ ଯେ, କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗରେ କାର୍ୟ୍ୟରତ କର୍ମଚାରୀଙ୍କ ଦକ୍ଷତା ଆକଳନ ନେଇ ଏକ ଅନୁଧ୍ୟାନ କମିଟି ଗଠନ ହୋଇଥିଲା । ଆଉ ଏହି କମିଟି ରିପୋର୍ଟ କ୍ରମେ ଏଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ୨୦୧୯ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ଯେଉଁଥିରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ କର୍ମଚାରୀଙ୍କ କାର୍ୟ୍ୟ ପରାଦର୍ଶିତା ନେଇ ଆକଳନ କରାଯିବ ବୋଲି ଉଲ୍ଲେଖ ଥିଲା । ଆଜି ଗ୍ରହଣ କରାଯାଇଥିବା କୋଚ୍ଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ମଧ୍ୟ ଏହି ଆଧାରରେ ନିଆଯାଇଛି ।
Powered by Froala Editor