କାବୁଲରେ ବୋମା ବିସ୍ଫୋରଣ : ୨ ମୃତ, ନିଜକୁ ଦାୟୀ କଲା ଆଇଏସ-କେ
ବୁଧବାର ଆଫଗାନିସ୍ତାର ରାଜଧାନୀ କାବୁଲ୍ରେ ମିନି ବସ୍ରେ ବୋମା ଫୁଟିବାରୁ ଅନ୍ୟୂନ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ପରେ ମିନିବସ୍ଟି ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି। ଉକ୍ତ ଆକ୍ରମଣ ପାଇଁ ନିଜେ ଦାୟୀ ବୋଲି ଆଇଏସ୍-ଖୋରାସନ(ଆଇଏସ-କେ) ଘୋଷଣା କରିଛି।
ସୂଚନା ଅନୁଯାୟୀ, କାବୁଲର ଦାଶଟ-ଇ-ବାରଚିରେ ଏହି ହମଲା ହୋଇଛି। ଏଠାରେ ସଂଖ୍ୟାଲଘୁ ହାଜରା ସଂପ୍ରଦାୟର ଲୋକମାନେ ରୁହନ୍ତି। ତେଣୁ ସେମାନଙ୍କୁ ଟାର୍ଗେଟ କରି ଏପରି ବିସ୍ଫୋରଣ କରାଯାଇଛି। ତାଲିବାନର ସ୍ୱତନ୍ତ୍ର କମାଣ୍ଡୋ ପକ୍ଷରୁ କୁହାଯାଇଛି ଯେ ମିନିବସ୍ରେ ହିଁ ବୋମା ଖଞ୍ଜା ଯାଇଥିଲା। ବିସ୍ଫୋରଣରେ ୨ ଜଣ ପ୍ରାଣ ହରାଇଛନ୍ତି ଓ ଆଉ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଛି। ଏବେ ଘଟଣାର ତଦନ୍ତ କରାଯାଉଛି। ମିନିବସ୍ ସହ ଗୋଟିଏ ଟ୍ୟାକ୍ସି ମଧ୍ୟ ବିସ୍ଫୋରଣରେ କ୍ଷତିଗ୍ରସ୍ତ ହୋଇଛି।
ସ୍ଥାନୀୟ ଅଞ୍ଚଳରେ କାମ କରୁଥିବା ଜଣେ ସାମ୍ବାଦିକ କହିଛନ୍ତି, ପ୍ରଚଣ୍ଡ ବିସ୍ଫୋରଣ ଶୁଣି ମୁଁ ଚାରିଆଡ଼କୁ ଅନାଇ ଦେଖିଲି ଗୋଟାଏ ମିନିବସ୍ ଓ କାର୍ ହୁତୁହୁତୁ ହୋଇ ଜଳୁଛି। ଏହାପରେ ସେଠାକୁ ଆମ୍ବୁଲାନ୍ସ୍ ଆସି ମୃତାହତଙ୍କୁ ଡାକ୍ତରଖାନା ନେଇଗଲା। ଆଇଏସ୍-ଖୋରାସନ(ଆଇଏସ-କେ) ଘଟଣା ପାଇଁ ନିଜକୁ ଦାୟୀ କରିଛି। ସଂଗଠନ ତା’ର ଟେଲିଗ୍ରାମ ଚ୍ୟାନେଲରେ କହିଛି ଯେ ଦୁଇଟି ବିସ୍ଫୋରଣରେ ୨୦ରୁ ଅଧିକ ଲୋକ ମୃତାହତ ହୋଇଛନ୍ତି।
Powered by Froala Editor