ପୂର୍ବାଞ୍ଚଳ ଏକ୍ସପ୍ରେସୱେର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶରେ ୩୪୧ କିମି ଲମ୍ବା ପୂର୍ବାଞ୍ଚଳ ତ୍ବରିତ ରାଜପଥ(ଏକ୍ସପ୍ରେସ ୱେ)ର ଉଦ୍ଘାଟନ କରିଛନ୍ତି। ଲକ୍ଷ୍ନୌରୁ ଗାଜିପୁର ପର୍ଯ୍ୟନ୍ତ ଲମ୍ବିଛି ଏହି ୬ ଲେନ୍ ବିଶିଷ୍ଟ ତ୍ବରିତ ରାଜପଥ। ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଏହି ସଡକ ରାଜନୀତିର ରାସ୍ତାକୁ ବି ମଜବୁତ କରିବ ବୋଲି ଆଶା କରାଯାଉଛି ।
ପ୍ରଥମେ ବାୟୁସେନାର ସି-୧୩୦ଜେ ହର୍କୁଲେସ୍ ବିମାନରେ ଆସି ତ୍ବରିତ ରାଜପଥର କରୱାଲଖେରିର ଅବତରଣ କରିଥିଲେ ମୋଦୀ। ଏହାପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ମଞ୍ଚ ଯାଏ ପାଛୋଟି ନେଇଥିଲେ। ଏକ୍ସପ୍ରେସ ୱେର ଉଦଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୩୪୧ କିଲୋମିଟର ଏକ୍ସପ୍ରେସୱେର ବିଶେଷତ୍ୱ କେବଳ ଏହା ନୁହେଁ ଯେ ଏହା ଲକ୍ଷ୍ନୌ, ବାରବାଙ୍କି, ଅମେଠି, ସୁଲତାନପୁର, ଅଯୋଧ୍ୟା, ଆମ୍ବେଦକରନଗର, ମଉ, ଆଜମଗଡ ଏବଂ ଗାଜିପୁରକୁ ସଂଯୋଗ କରିବ। ଏହାର ବିଶେଷତ୍ୱ ହେଉଛି ଏହା ସେହି ସହରଗୁଡ଼ିକୁ ଲକ୍ଷ୍ନୌ ସହିତ ସଂଯୋଗ କରିବ, ଯାହାର ବିକାଶ ପାଇଁ ଅସୀମ ଆକାଂକ୍ଷା ରହିଛି। ଯୋଗୀଜୀଙ୍କ ନେତୃତ୍ୱରେ ୟୁପି ସରକାର୨୨,୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥାଇ ପାରନ୍ତି, କିନ୍ତୁ ଭବିଷ୍ୟତରେ ଏହା ଲକ୍ଷ ଲକ୍ଷ କୋଟି ଟଙ୍କାର ଶିଳ୍ପ ଆଣିବା ପାଇଁ ଏକ ମାଧ୍ୟମ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ମୋଦି କହିଛନ୍ତି ଯେ, ମୁଁ ୨୦୧୮ରେ ଯେତେବେଳେ ଏହାର ଶିଳାନ୍ୟାସ କରିଥିଲି ମୁଁ ଭାବି ନଥିଲି ଯେ ମୁଁ ଏହା ଉପରେ ବିମାନରୁ ଓହ୍ଲାଇବି | ଏହି ଏକ୍ସପ୍ରେସୱେ ପ୍ରତିବଦ୍ଧତାର ଏକ ଜୀବନ୍ତ ପ୍ରମାଣ। ଏହା ହେଉଛି ଉତ୍ତରପ୍ରଦେ ଗର୍ବ । ଏହି ଏକ୍ସପ୍ରେସୱେ ଗରିବ, ମଧ୍ୟବିତ୍ତ ଏବଂ କୃଷକମାନଙ୍କ ପାଇଁ ଲାଭଦାୟକ ହେବ ବୋଲି ମୋଦି କହିଥିଲେ।
Powered by Froala Editor