ଟଳିଲେ ୨୬ ମାଓବାଦୀ

ମହାରାଷ୍ଟ୍ର: ଗତକାଲି ସକାଳ ୬.୩୦ରୁ କୋଟଗୁଲ ଗ୍ୟାରପଟ୍ଟି ପାଖରେ ଥିବା ଜଙ୍ଗଲରେ କମାଣ୍ଡୋଙ୍କ ମାଓବାଦୀ ବିରୋଧୀ ଅପରେସନ ଜାରି ରହିଥିଲା । ଏହି ଅପରେସନରେ ସକାଳୁ ପୁଲିସ୍ର ସି-୬୦ କମାଣ୍ଡୋଙ୍କ ଅପରେସନରେ ୨୬ ଜଣ ମାଓବାଦୀ ନିହତ ହୋଇଛନ୍ତି । ତେଣୁ ଏହି ଅପରେସନରେ ମିଳିଛି ସବୁଠୁ ବଡ ସଫଳତା । ଏବେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି।
ଗଡ଼ଚିରୋଲି ଏସ୍ପି ଅଙ୍କିତ ଗୋୟଲ କହିଛନ୍ତି, ସକାଳୁ ଅତରିକ୍ତ ଏସ୍ପି ସୌମ୍ୟ ମୁଣ୍ଡେଙ୍କ ନେତୃତ୍ୱରେ ସି-୬୦ କମାଣ୍ଡୋଙ୍କ ପକ୍ଷରୁ ଜଙ୍ଗଲରେ ସର୍ଚ୍ଚ ଅପରେସନ କରାଯାଇଥିଲା। ତେବେ ମାଓବାଦୀମାନେ ଏହା ଜାଣି ପାରି କମାଣ୍ଡୋଙ୍କ ଉପରେ ଗୁଳି ବର୍ଷା କରିଥିଲେ। କମାଣ୍ଡୋମାନେ ମଧ୍ୟ ଏହାର ଜବାବ ଦେଇଥିଲେ। ସକାଳ ପ୍ରାୟ ୬.୩୦ରୁ ହିଁ ଗୁଳି ବିନିମୟ ଆରମ୍ଭ ହୋଇଥିଲା।
ଘଞ୍ଚ ଜଙ୍ଗଲରେ ଦୀର୍ଘ ଘଣ୍ଟା କାଳ ଯବାନମାନେ ମାଓବାଦୀଙ୍କ ସହ ଲଢ଼େଇ କରିଥିଲେ। ସେହିପରି ଏନକାଉଣ୍ଟର ବେଳେ ୪ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତଙ୍କୁ ଜଙ୍ଗଲ ମଧ୍ୟରୁ ଏୟାରଲିଫ୍ଟ କରି ନାଗପୁର ନିଆଯାଇଛି। ସେମାନେ ଏବେ ନାଗପୁରରେ ଥିବା ଅରେଞ୍ଜ ସିଟି ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର କ୍ରିଟିକାଲ କେୟାର କମ୍ପ୍ଲେକ୍ସରେ ଆଡମିଟ ହୋଇଛନ୍ତି। ମୃତ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଥିଲେ ହେଁ ସେମାନଙ୍କ ପରିଚୟ ମିଳିପାରି ନଥିବା ସେ କହିଛନ୍ତି।
କମାଣ୍ଡୋମାନେ ଏନକାଉଣ୍ଟର ସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଠାବ କରିଛନ୍ତି। ଏବେ ବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି। ୧୨ରୁ ଅଧିକ ମାଓବାଦୀ ଗୁଳିମାଡ଼ରେ ଆହତ ହୋଇଥିବାରୁ ସେମାନଙ୍କୁ ଠାବ କରିବାକୁ ପ୍ରୟାସ ଚାଲିଛି। ସେହିପରି ଜଙ୍ଗଲ ମଧ୍ୟରେ ମାଓବାଦୀ ସଂଗଠନର ଜଣେ ଟପ୍ ଲିଡର ମଧ୍ୟ ରହିଥିବା କୁହାଯାଉଛି।
Powered by Froala Editor