ବରଗଡର ଚାଷୀ ଓ ବୁଣାକାରମାନଙ୍କ ଦକ୍ଷତାକୁ ମୋର ପ୍ରଣାମ – ମୁଖ୍ୟମନ୍ତ୍ରୀ

ବରଗଡ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରାୟ ୩.୬୪ ଲକ୍ଷ ଲୋକ ଏହି ସୁବିଧା ପାଇବେ। ବରଗଡ ସହିତ ରାଜ୍ୟର ୧୧ଟି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ସାମିଲ ହେଲା। ଏହି ଅବସରରେ ୫-ଟି ରୂପାନ୍ତର କାର୍ଯ୍ୟକ୍ରମରେ ବିଜେପୁରର ୭୧ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ।
ଆଜି ମୁଖ୍ୟମନ୍ତ୍ରୀ ବରଗଡରେ ପ୍ରାୟ ୩୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ସେହିପରି ଜିଲ୍ଲାରେ ୨୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାମ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ଏଥିରେ ରହିଛି – ୨୦୯୦ କୋଟି ଟଙ୍କାର ଗୁରୁତ୍ବପୂର୍ଣ୍ଣ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ। ଏହି ପ୍ରକଳ୍ପ ୨୦୨୩ ସେପ୍ଟେମ୍ବର ସୁଦ୍ଧା ସଂପୂର୍ଣ୍ଣ ହେବ ଏବଂ ଚାଷୀମାନେ ଏଥିରୁ ପାଣି ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ବରଗଡ ହେଉଛି ମା ଲକ୍ଷ୍ମୀଙ୍କ ପବିତ୍ର ଭୂମି। ଓଡିଶାର ଭାତ ହାଣ୍ଡି ବରଗଡର ବୁଣାକାର ମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଶଂସା କରି କହିଲେ ଯେ ଚାଷୀଙ୍କ ପରି ବରଗଡର ବୁଣାକାର ମଧ୍ୟ ସାରା ବିଶ୍ବକୁ ସମ୍ବଲପୁରୀ ଶାଢୀ ଉପହାର ଦେଇଛନ୍ତି। ବରଗଡର ଚାଷୀ ଓ ବୁଣାକାରମାନଙ୍କ ଦକ୍ଷତାକୁ ମୋର ପ୍ରଣାମ ବୋଲି ସେ କହିଥିଲେ।
ବରଗଡ ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ଜିଲ୍ଲାର ୩ ଲକ୍ଷ ୬୪ ହଜାର ଲୋକ ଉପକାର ପାଇବେ।
Powered by Froala Editor