ବଡ଼ ଖବର: ପୁଣି ବାତ୍ୟା!

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଓ ତତସଂଲଗ୍ନ ଥାଇଲାଣ୍ଡ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୧୫ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଏ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଆଡ଼କୁ ଗତି କରି ଅବପାତର ରୂପ ନେବ । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।
ପରବର୍ତ୍ତୀ ସମୟରେ ଅବପାତ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ୧୮ ତାରିଖ ବେଳକୁ ଏହା ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ତେବେ, ଲଘୁଚାପଟି ବାତ୍ୟାରେ ପରିଣତ ହେବ କି ନାହିଁ ସେ ନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ତେବେ, ପାଣିପାଗ ବିଭାଗର ପ୍ରାକ୍ ଆକଳ ଅନୁସାରେ ବାତ୍ୟା ହେଲେ ଆନ୍ଧ୍ର ଉପକୂଳରେ ମାଡ଼ ହେବାର ଆଶଙ୍କା ରହିଛି ।
ଏବେ ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା । ପ୍ରବଳ ବର୍ଷା ନେଇ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ଏହା ସହିତ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ବୌଦ୍ଧ, ନୂଆପଡ଼ା, ଢେଙ୍କାନାଳ, ମାଲକାନଗିରି, ଏବଂ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ପ୍ରଭାବରେ ଆସନ୍ତା ୪-୫ ଦିନ ପର୍ୟ୍ୟନ୍ତ ରାତିର ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ ବଢିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
Powered by Froala Editor