ୟୁଟ୍ୟୁବ୍ ଦେଖି ନକଲି ନୋଟ୍ ଛାପିଲେ, ୬.୭୮ କୋଟି ଜବତ
ଭଡ଼ା ଘରେ ୟୁଟ୍ୟୁବ୍ରୁ ଭିଡିଓ ଦେଖି ଶିଖିଲେ ନକଲି ନୋଟ୍ ଛାପିବାର କୌଶଳ। ତେଲେଙ୍ଗାନା ପୋଲିସ ଏଭଳି ଏକ ବଡ଼ ନକଲି ନୋଟ୍ ରାକେଟ୍ର ପର୍ଦ୍ଦାଫାସ କରିଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯିବା ସହ ପ୍ରାୟ ୬.୭୮ କୋଟି ଟଙ୍କାର ନକଲି ନୋଟ୍ ଜବତ ହୋଇଛି।
ପୋଲିସ କମିଶନର ଡକ୍ଟର ତରୁଣ ଯୋଶୀଙ୍କ ସୂଚନା ଅନୁସାରେ, ଏହି ରାକେଟ୍ର ମୁଖ୍ୟ ଅଭିଯୁକ୍ତ ମାଡୁପୋଜୁ କର୍ଣ୍ଣାକର ୟୁଟ୍ୟୁବ୍ ଭିଡିଓ ଓ ସୋସିଆଲ ମିଡିଆରୁ ନକଲି ନୋଟ୍ ତିଆରି କରିବା ଶିଖିଥିଲେ। ସେ ଅସଲି ୫୦୦ ଟଙ୍କିଆ ନୋଟ୍କୁ ସ୍କାନ୍ କରି ଫଟୋଶପ୍ ଭଳି ସଫ୍ଟୱେର୍ରେ ଏଡିଟ୍ କରୁଥିଲେ। ଏହାପରେ ପ୍ରିଣ୍ଟରରେ ନକଲି ନୋଟ୍ ଛାପୁଥିଲେ।
ନଭେମ୍ବର ୧ ତାରିଖରେ ଜାତୀୟ ରାଜପଥ-୬୫ ନିକଟରେ ଏହି ରାକେଟ୍ର ପର୍ଦ୍ଦାଫାସ ହୋଇଥିଲା। ଅବଦୁଲ୍ଲାପୁରମେଟ୍ ପୋଲିସ ଓ ଶାଦନଗର ସ୍ପେଶାଲ ଅପରେସନ୍ ଟିମ୍ (SOT) ଏକ କାର୍କୁ ଅଟକାଇ ଯାଞ୍ଚ କରିଥିଲେ। କାର୍ରୁ ୮ ଲକ୍ଷ ଟଙ୍କାର ନକଲି ୫୦୦ ଟଙ୍କିଆ ନୋଟ୍ ମିଳିଥିଲା। ଏହାପରେ କାର୍ରେ ଥିବା ୪ ଜଣଙ୍କୁ ପୋଲିସ ଗିରଫ କରିଥିଲା। ତଦନ୍ତରେ ହାଇଦ୍ରାବାଦ ଉପକଣ୍ଠ କୁଣ୍ଟଲୁରର ଏକ ଭଡ଼ା ଘରେ ଚାଲିଥିବା ନକଲି ନୋଟ୍ କାରଖାନାର ସନ୍ଧାନ ମିଳିଥିଲା। ସେଠାରୁ ଆଉ ୬.୭୦ କୋଟି ଟଙ୍କାର ୫୦୦ ଟଙ୍କିଆ ଜାଲ୍ ନୋଟ୍ ଜବତ ହୋଇଥିଲା।
Powered by Froala Editor