ଅଗ୍ନିବୀରଙ୍କୁ ମିଳିବ ଆଉ ୨ ବର୍ଷ କାମ କରିବାର ସୁଯୋଗ
ଅଗ୍ନିବୀରଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। ଏଣିକି ୪ ବର୍ଷର କାର୍ଯ୍ୟକାଳ ଶେଷ ହେବା ପରେ ମଧ୍ୟ ଅଗ୍ନିବୀରଙ୍କୁ ମିଳିବ ଆଉ ୨ ବର୍ଷ ସେନାରେ କାମ କରିବାର ସୁଯୋଗ। ବୁଧବାର କେନ୍ଦ୍ର କ୍ୟାବିନେଟ୍ର ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (CDS) ଜେନେରାଲ ଏନ୍ଏସ୍ ରାଜା ସୁବ୍ରମଣି।
୨୦୨୨ ଜୁନ୍ରେ ଆରମ୍ଭ ହୋଇଥିବା ଅଗ୍ନିପଥ ଯୋଜନାରେ ମାତ୍ର ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ସେନାରେ ସ୍ଥାୟୀ ନିଯୁକ୍ତି ଏବଂ ବାକି ୭୫ ପ୍ରତିଶତଙ୍କୁ ୪ ବର୍ଷ ପରେ କାର୍ଯ୍ୟମୁକ୍ତ କରାଯିବାର ବ୍ୟବସ୍ଥା ଥିଲା। ତେବେ ପ୍ରଥମ ବ୍ୟାଚ୍ର ପ୍ରାୟ ୧୮,୦୦୦ ଅଗ୍ନିବୀରଙ୍କ କାର୍ଯ୍ୟକାଳ ଶେଷ ହେବାର ତିନି ସପ୍ତାହ ପୂର୍ୱରୁ ସରକାର ଏହି ବଡ଼ ସଂସ୍କାର କରିଛନ୍ତି। ଭାରତୀୟ ସେନାକୁ ‘ଅଧିକ ଯୁବ, ଶାରୀରିକ ସକ୍ଷମ, ବୈଷୟିକ ଜ୍ଞାନସମ୍ପନ୍ନ ଓ ଭବିଷ୍ୟତ-ପ୍ରସ୍ତୁତ’ କରିବା ଦିଗରେ ଏହା ଏକ ପ୍ରମୁଖ ସଂସ୍କାର ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଭିହିତ କରିଛନ୍ତି।
ତେବେ ଏଥିପାଇଁ ଆଗ୍ରହୀ ହେବା ସହ ନିର୍ଦ୍ଧାରିତ ଚୟନ ମାନଦଣ୍ଡ ପୂରଣ କରିବାକୁ ପଡ଼ିବ। ଅର୍ଥାତ୍ ଅତିରିକ୍ତ ଦୁଇ ବର୍ଷ ପରେ ନିୟମିତ ସେନାରେ ନିଯୁକ୍ତି ନିଶ୍ଚିତ ନୁହେଁ; ଏହା ଚୟନ ପ୍ରକ୍ରିୟା ଉପରେ ନିର୍ଭର କରିବ।
CDS ଜେନେରାଲ ରାଜା ସୁବ୍ରମଣି କହିଛନ୍ତି, ଗତ ୪ ବର୍ଷ ମଧ୍ୟରେ ଅଗ୍ନିବୀରଙ୍କ କାର୍ଯ୍ୟଦକ୍ଷତାର କ୍ରମାଗତ ମୂଲ୍ୟାଙ୍କନ କରାଯାଇଛି। ସେମାନଙ୍କ ପ୍ରଦର୍ଶନକୁ ନେଇ ସକାରାତ୍ମକ ମତାମତ ମିଳିଛି। ପୂର୍ବ ବ୍ୟବସ୍ଥାରେ ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ମେରିଟ୍ ଆଧାରରେ ନିୟମିତ ସେନାରେ ସାମିଲ କରାଯାଉଥିଲା। ଅବଶିଷ୍ଟ ୭୫ ପ୍ରତିଶତଙ୍କୁ ୪ ବର୍ଷ ପରେ ସେନାରୁ ଫେରିବାକୁ ପଡ଼ୁଥିଲା। ଏବେ ସେମାନଙ୍କ ପାଇଁ ଆଉ ଦୁଇ ବର୍ଷର ଅତିରିକ୍ତ ସେବା ଅବଧି ଯୋଡ଼ାଯାଇଛି।
Powered by Froala Editor