ଦାରିଦ୍ର୍ୟ : ପେଟ ଚାଖଣ୍ଡ ପାଇଁ ପୁଅକୁ ଅନ୍ୟ ହାତରେ ଟେକିଦେଲା ମା’

ଦାରିଦ୍ର୍ୟର ତାଡନା ଯେ ମଣିଷକୁ କେଉଁସ୍ତରକୁ ଖସାଇ ଦିଏ ତାହାର ଉଦାହରଣ ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ । ମହମ୍ମଦନଗର ଜିଲ୍ଲାର ଶିରିଡି ସହରର ଜଣେ ୩୨ ବର୍ଷୀୟ ମହିଳା ପେଟ ଚାଖଣ୍ଡ ପାଇଁ ନିଜ ୩ ଦିନର ପୁଅକୁ ବିକ୍ରି କରିଦେଇଛି । ୩ ଦିନର ପୁଅ ବଦଳରେ ତାଙ୍କୁ ମିଳିଛି ୧.୭୮ ଲକ୍ଷ । କୌଣସି ଲୋଭରେ ନୁହେଁ ବରଂ ବାଧ୍ୟ ହୋଇ ସେ ଏପରି କରିଥିବା କହିଛନ୍ତି ।
ସେପ୍ଟେମ୍ବର ମାସରେ ମହିଳା ଜଣକ ଏହି ଶିଶୁକୁ ଜନ୍ମ ଦେଇଥିଲେ, କିନ୍ତୁ ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ତାଙ୍କ ଯତ୍ନ ନେବାକୁ ସ୍ଥିତିରେ ନଥିଲେ । ଏହା ପରେ ସେ ପିଲାଟିକୁ ବିକ୍ରୟ କରିବା ଏବଂ କିଛି ଟଙ୍କା ପାଇବା ପାଇଁ ଗ୍ରାହକ ଖୋଜିବା ଆରମ୍ଭ କରିଥିଲେ । ଅହମ୍ମଦନଗର, ଥାନେର କଲ୍ୟାଣ ଏବଂ ମୁମ୍ବଇର ମୁଲୁଣ୍ଡ ଅଞ୍ଚଳର ତିନିଜଣ ମହିଳା ତାଙ୍କୁ ଗ୍ରାହକ ଖୋଜିବାରେ ସାହାଯ୍ୟ କରିଥିଲେ। ଏହା ପରେ ସେମାନେ ମୁଲୁଣ୍ଡରେ ରହୁଥିବା ବ୍ୟକ୍ତିଙ୍କୁ ପିଲାଟିକୁ ବିକ୍ରୟ କରିବା ପାଇଁ ଏକ ଚୁକ୍ତି କରିଥିଲେ।
ନଭେମ୍ବର ୭ ଥାନେର ଡୋମ୍ବିଭଲି ସହରର ମନପଡା ପୁଲିସ ଷ୍ଟେସନରେ ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଶିଶୁ କ୍ରୟ କରିଥିବା ଉକ୍ତ ବ୍ୟକ୍ତି ଓ ମହିଳା, ଶିଶୁ ବିକ୍ରିରେ ସାହାଯ୍ୟ କରିଥିବା ଅନ୍ୟ ୪ ଜଣ ମହିଳାଙ୍କୁ ଗିରଫ କରିଛି। ଭାରତୀୟ ଦଣ୍ଡ ସଂହିତା ଏବଂ ଜୁଭେନାଇଲ୍ ଜଷ୍ଟିସ୍ (ଶିଶୁମାନଙ୍କର ଯତ୍ନ ଏବଂ ସୁରକ୍ଷା) ନିୟମ ଅନୁଯାୟୀ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ବୋଲି ତଦନ୍ତ ଅଧିକାରୀ କହିଛନ୍ତି।
Powered by Froala Editor