ଭିଜିଲାନ୍ସ ଜାଲରେ କୋଟିପତି ସରକାରୀ ବାବୁ

ଭୁବନେଶ୍ୱର: ଗୋଟିଏ ପରେ ଗୋଟିଏ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ଫସୁଛନ୍ତି । ତେବେ ଆଜି ପୁଣି ଭିଜିଲାନ୍ସ ଜାଲରେ କୋଟିପତି ସରକାରୀ ବାବୁ । ପୁଲିସ୍ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ବାସଭବନରେ, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ୍ ଆରମ୍ଭ ହୋଇଛି । ତାଙ୍କ ଘର ସମେତ ଭୁବନେଶ୍ୱର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ୧୦ଟି ଜାଗାରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି ।
ପ୍ରତାପ ସାମଲଙ୍କ ଭୁବନେଶ୍ୱର ଜୟଦେବ ବିହାରରେ ଏକ ଦୁଇମହଲା ଘର, ବିଜୁ ପଟ୍ଟନାୟକ କଲେଜ ଛକ ମା ଭାଗବତୀ ମନ୍ଦିର ବିପରୀତ ଦିଗରେ ଏକ ଛଅମହଲା କୋଠା, ଖଣ୍ଡଗିରିରେ ଏକମହଲା ଭଡା ଦିଆଯାଇଥିବା ଘର ସହିତ ଆଇଆରସି ଭିଲେଜ୍ ପ୍ଲଟ୍ ନମ୍ବର ଏନ୍/୬-୪୧୬ରେ ଏକ ତିନିମହଲା କୋଠା, ଅନନ୍ୟା ଟାୱାରରେ ଥିବା ତାଙ୍କ ସହଯୋଗୀଙ୍କ ଘରେ ମଧ୍ୟ ଚଢାଉ ଜାରି ରଖିଛି ଭିଜିଲାନ୍ସ ।
ସେହିପରି ପୁଲିସ୍ ହାଉସିଂ କର୍ପୋରେସନର ତାଙ୍କ କାର୍ଯ୍ୟାଳୟ, ବାଲେଶ୍ୱର ଜିଲ୍ଲାର ସୁମୁଳିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରିପୁରରେ ନିଜର ପୈତୃକ ଘର ଓ ସଂପର୍କୀୟଙ୍କ ଘରେ ଚଢାଉ ଜାରି ରହିଛି । ଏହା ସହିତ ଭଦ୍ରକ ଜିଲ୍ଲାର ବାସୁଦେବପୁରର ବାଲିସାହିଠାରେ ଏକ ତିନି ମହଲା ଆପାର୍ଟମେଣ୍ଟରେ ମଧ୍ୟ ରେଡ୍ ଜାରି ରହିଛି ।
ଏହି ରେଡ୍ରେ ଜଣେ ଅତିରିକ୍ତ ଏସପି, ୫ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଅନ୍ୟ କର୍ମଚାରୀମାନଙ୍କୁ ନେଇ ଓଡିଶା ଭିଜିଲାନ୍ସର ୧୦ଟି ଟିମ୍ ଏହି ଚଢ଼ାଉରେ ସାମିଲ ଥିବା ସୂଚନା ମିଳିଛି ।
Powered by Froala Editor