ତେଲ ଟ୍ୟାଙ୍କରରେ ଭୟଙ୍କର ବିସ୍ଫୋରଣ ଘଟି ୯୧ ମୃତ
ପଶ୍ଚିମ ଆଫ୍ରିକୀୟ ଦେଶ ସିଏରା ଲିଓନର ରାଜଧାନୀ ଫ୍ରିଟାଉନ ନିକଟରେ ଥିବା ଓ୍ବେଲିଂଟନଠାରେ ଏକ ତୈଳ ଟ୍ୟାଙ୍କର ବିସ୍ଫୋରଣ ହେବାରୁ ପ୍ରାୟ ୯୧ ଜଣ ମୃତ୍ୟୁବରଣ କରିଛନ୍ତି । ଦୁର୍ଘଟଣା ଏତେ ବଡ଼ ଥିଲା ଯେ, ଟ୍ୟାଙ୍କରରୁ ଇନ୍ଧନ ନିଗ୍ରତ ହୋଇ ଏକ ବସ୍ ଉପରେ ପଡ଼ିଥିଲା। ଫଳରେ ସେଥିରେ ଥିବା ଯାତ୍ରୀ ଫସିଯାଇଥିଲେ। ସ୍ଥାନୀୟ ଗଣମାଧ୍ୟମ ଦ୍ୱାରା ପ୍ରସାରିତ ଫୁଟେଜ ଅନୁଯାୟୀ ଟ୍ୟାଙ୍କର ଚାରିପଟେ କିଛି ଶବ ମଧ୍ୟ ପଡ଼ିଛି।
ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଶୁକ୍ରବାର ରାତିରେ ଓ୍ବେଲିଂଟନଠାରେ ଏକ ତୈଳ ଟ୍ୟାଙ୍କର ଅନ୍ୟ ଏକ ଗାଡ଼ି ସହ ଧକ୍କା ହୋଇ ଓଲଟି ପଡ଼ିଥିଲା । ଦୁର୍ଘଟଣା ପରେ ତୈଳ ଟ୍ୟାଙ୍କରରୁ ତେଲ ନିର୍ଗତ ହେବା ପରେ ଆଖପାଖର ଲୋକମାନେ ତେଲ ଚୋରି ପାଇଁ ସେଠାରେ ପହଞ୍ଚିଯାଇଥିଲେ । ଶତାଧିକ ଲୋକ ତେଲ ଚୋରି କରୁଥିବାବେଳେ ଟ୍ୟାଙ୍କରରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଅନେକ ଲୋକ ମୃତ୍ୟୁବରଣ କରିଥିଲେ । ଏପର୍ୟ୍ୟନ୍ତ ପ୍ରାୟ ୯୧ ଜଣ ଲୋକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆହତମାନଙ୍କୁ ସ୍ଥାନୀୟ ମିଲିଟାରି ହସପିଟାଲ ଓ ଅନ୍ୟ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ମାତ୍ର ଅନେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖର କେତେକ ଘର ଜଳିଯାଇଛି । ଏପରିକି ବିସ୍ଫୋରଣ ସମୟରେ ରାସ୍ତାରେ ଯାଉଥିବା କେତେକ କାର ଜଳିଯାଇଛି ଓ ସେଥିରେ ଥିବା ଲୋକମାନେ ମୃତ୍ୟୁବରଣ କରିଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ପୁଲିସ ପହଞ୍ଚି ଉଦ୍ଧାର କାର୍ୟ଼୍ୟ ଜାରି ରଖିଛନ୍ତି ।
ଘଟଣାକୁ ନେଇ ରାଷ୍ଟ୍ରପତି ଜୁଲିୟସ୍ ମାଡା ବିୟୋ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏନେଇ ସେ ଏକ ଟ୍ୱିଟ୍ କରି ମୃତାହତ ଲୋକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆ ଯିବ ବୋଲି କହିଛନ୍ତି।
Powered by Froala Editor