ନିଶା ନିବାରଣ କେନ୍ଦ୍ରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଜୋରନ୍ଦା ଫାଣ୍ଡି ଅନ୍ତର୍ଗତ ଆମ୍ବବାହାଳି ଗ୍ରାମରେ ଥିବା ନିଶା ନିବାରଣ କେନ୍ଦ୍ରରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ କାମାକ୍ଷାନଗର ଥାନା ଅଧୀନ ବୋଲୁଅ ଗ୍ରାମର ସଞ୍ଜୟ ରାଉତ ।
ରବିବାର ସଞ୍ଜୟଙ୍କୁ ପରିବାର ଲୋକେ ଏହି କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସୋମବାର ରାତିରେ ସେ କେନ୍ଦ୍ରରେ ଉତ୍ପାତ କରୁଥିବା ପରିବାର ଲୋକଙ୍କୁ ଖବର ମିଳିଥିଲା । ଏପରିକି ଭଙ୍ଗାରୁଜା କରୁଥିବା ସୂଚନା ଦିଆଯାଇଥିଲା । ଆଜି ସକାଳେ ତାଙ୍କ ଝୁଲନ୍ତା ମୃତଦେହ ଶୌଚାଳୟରୁ ଉଦ୍ଧାର କରାଯାଇଛି ।
ତାଙ୍କ ଗୋଡ଼ ତଳେ ଘୁଷୁଡ଼ୁ ଥିବା ବେଳେ ସେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ପରିବାର ଲୋକଙ୍କ ସନ୍ଦେହ ହୋଇଛି । ପୁଅକୁ ପିଟି ପିଟି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦିଆଯାଉଥିବା ପରିବାର ଲୋକେ ଅଭିଯୋଗ ଉଠାଇଛନ୍ତି । ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ୍ କହିଛି ।
Powered by Froala Editor