ଦିନେ ବିଜେଡି ନାମ ଶୁଣିଲେ ଚୋବାଉଥିଲେ ରକ୍ତ ଚାଉଳ, ତାଙ୍କ ମୁହଁରେ ଆଜି ଶୁଭିଛି ପ୍ରଶଂସା
ଭୁବନେଶ୍ୱର: ଯିଏ ଦିନେ ବିଜେଡିର ନାମ ଶୁଣିଲେ ରକ୍ତ ଚାଉଳ ଚୋବାଉଥିଲେ ତାଙ୍କ ମୁହଁରେ ଶୁଭିଛି ବିଜେଡିର ପ୍ରଶଂସା । ଯିଏ ଦିନେ ସାମ୍ବାଦିକ ସମ୍ମିଳନୀରେ ବିଜେଡି ବିରୋଧରେ ବର୍ଷୁଥିଲେ ସିଏ ଆଜ ବିଜେଡି ପ୍ରଶଂସାରେ ଶତମୁଖ । ପାଟି ଖୋଲିଲେ ଯାହାଙ୍କ ମୁହଁରୁ ବିଜେଡି ବିରୋଧରେ ବିଷ ବାହାରୁଥିଲା ଆଜି ଖୋଦ ତାଙ୍କ ମୁହଁରୁ ଅମୃତ ଝରୁଛି । ଆମେ କହୁଛୁ ନିକଟରେ ହାତକୁ ନାତ ମାରିଥିବା ପ୍ରଦୀପ ମାଝୀଙ୍କ କଥା ।
କଂଗ୍ରେସରୁ ଇସ୍ତଫା ଦେବାର ଦୁଇ ଦିନ ନପୂରୁଣୁ ପ୍ରଦୀପ ମାଝୀ ବିଜେଡିକୁ ଭୂରି ଭୂରି ପ୍ରଶଂସା କରିଛନ୍ତି । ଆଜି ନବରଙ୍ଗପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଆଉ ଏହି ସାମ୍ବାଦିକ ସମ୍ମିଳନୀରେ ସେ ଏକ ବଡ଼ ଘୋଷଣା କରିଛନ୍ତି । ସେ ବିଜେଡିରେ ମିଶିବେ ବୋଲି ଘୋଷଣା କରିଛନ୍ତି । ଫଳରେ ପ୍ରଦୀପ ବିଜେଡିରେ ମିଶିବା ପାଇଁ କଂଗ୍ରେସ ଛାଡ଼ିଥିବା ନେଇ ଚର୍ଚ୍ଚା ହେଉଥିଲା ସେଥିରେ ଖୋଦ ପ୍ରଦୀପ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଚର୍ଚ୍ଚାକୁ ସତରେ ପରିଣତ କରିଛନ୍ତି ପ୍ରଦୀବ । ଖୁବ ଶୀଘ୍ର ସେ ବିଜେଡିରେ ସାମିଲ ହେବେ ବୋଲି ଆଜି ଘୋଷଣା କରିଛନ୍ତି ।
ଏହି ଅବସରରେ ସେ କହିଛନ୍ତି ଯେ, ବିଜେଡି ରାଜ୍ୟରେ ସ୍ଥିର ସରକାର ଦେବାରେ ସଫଳ ହୋଇଛି । ମୋ ସହ ବହୁ କଂଗ୍ରେସ କର୍ମୀ ବିଜେଡିରେ ମିଶି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବୁ । ବର୍ତ୍ତମାନ କଂଗ୍ରେସ ସହ ପାଦ ମିଶାଇ ଚାଲିବା ସମ୍ଭବ ନୁହେଁ । ବିଜେଡି ପ୍ରତି ନିର୍ବାଚନରେ ସଂଖ୍ୟା ବୃଦ୍ଧି କରି ଦେଶରେ ଇତିହାସ କରିଛି । ତେଣୁ ଅଭିଭକ୍ତ କୋରାପୁଟ ତଥା ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ବିଜେଡିରେ ସାମିଲ ହେବୁ । କଂଗ୍ରେସରେ ରହି ଅବିଭକ୍ତ କୋରାପୁଟର ବିକାଶ କରି ହେବ ନାହିଁ। ଆଗାମୀ ଦିନରେ କଂଗ୍ରେସ ରାଜ୍ୟରେ ସରକାର ଗଠନ କରିପାରିବ କି ନାହିଁ, ସେ ନେଇ ମଧ୍ୟ ସନ୍ଦେହ ରହିଛି ବୋଲି ସେ କହିଛନ୍ତି। ସବୁଠୁ ବଡ଼ କଥା ହେଲା ଯେ, ନିଜେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହେବାକୁ ଯାଉଥିବା ପ୍ରଦୀପ ମାଝୀ ଅନ୍ୟ କଂଗ୍ରେସ ନେତା ଓ କର୍ମୀଙ୍କୁ ବି ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ, ଏହି ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତିବଦ୍ଧ । ଅବିଭକ୍ତ କୋରାପୁଟ ଜିଲ୍ଲାବାସୀ ସେହି ସ୍ରୋତରେ ସାମିଲ ହୁଅନ୍ତୁ ବୋଲି ପ୍ରଦୀପ ମାଝୀ କହିଛନ୍ତି ।
ପ୍ରକାଶଯେ, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଗତ ଦୁଇ ଦିନ ତଳୁ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଏଆଇସିସି ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସେ ଇସ୍ତଫା ଦେଇଥିଲେ । ଦଳରେ ଜନସେବାର ସୁଯୋଗ ସେ ଦୁଃଖ ଓ କଷ୍ଟର ସହ କଂଗ୍ରେସରୁ ଇସ୍ତଫା ଦେଇଥିଲେ ।
Powered by Froala Editor