ଆମେରିକାର ଡ୍ରୋନ ଷ୍ଟ୍ରାଇକରେ ଅଲକାଏଦା ଆତଙ୍କୀ ନିହତ
ଆତଙ୍କୀ ସଂଗଠନ ଅଲକାଏଦାର ଜଣେ ବରିଷ୍ଠ ସଦସ୍ୟ ହମିଦ୍ ଅଲ୍-ମତର ଆମେରିକାର ଡ୍ରୋନ ଷ୍ଟ୍ରାଇକରେ ନିହତ ହୋଇଛି। ହମିଦ୍ ଅଲ୍-ମତର ସହ ଆଉ କିଛି ଆତଙ୍କୀ ମଧ୍ୟ ପ୍ରାଣ ହରାଇଛନ୍ତି। ଶୁକ୍ରବାର ଆମେରିକା ସୁରକ୍ଷାକର୍ମୀମାନେ ସିରିୟାରେ ଡ୍ରୋନ ଷ୍ଟ୍ରାଇକ କରିଥିଲେ।
ଦୁଇ ଦିନ ତଳେ ସିରିୟାର ଦକ୍ଷିଣ ପ୍ରାନ୍ତରେ ଥିବା ଆମେରିକା ସେନାର ଆଉଟପୋଷ୍ଟ ଉପରେ ଆତଙ୍କବାଦୀମାନେ ହମଲା କରିଥିଲେ। ଏହାର ଜବାବ ଦେବାକୁ ଆମେରିକା ସୁରକ୍ଷାକର୍ମୀଙ୍କ ପକ୍ଷରୁ ଡ୍ରୋନ ଦ୍ୱାରା ହମଲା କରାଯାଇଥିଲା। ଏଥିରେ ହମିଦ୍ ଅଲ୍-ମତର ସମେତ ଅନେକ ଆତଙ୍କବାଦୀ ନିହତ ହୋଇଛନ୍ତି। ଡ୍ରୋନ ମାଡ଼ରେ ଅଲକାଏଦା ଓ ଏହାର ସହଯୋଗୀ ଆତଙ୍କୀଙ୍କ ଆଡ୍ଡା ମଧ୍ୟ ଧ୍ୱଂସ ପାଲଟି ଯାଇଛି। ତେବେ ଏଥିରେ କୌଣସି ସାଧାରଣ ଲୋକ ପ୍ରାଣ ହରାଇଛନ୍ତି କି ନାହିଁ, ସେକଥା ଜଣାପଡ଼ିନି।
ଆମେରିକାର ଆର୍ମି ମେଜର ଜନ ରଗିସବୀ କହିଛନ୍ତି, ଡ୍ରୋନ ମାଡ଼ରେ ଅଲକାଏଦାର ବରିଷ୍ଠ ସଦସ୍ୟର ମୃତ୍ୟୁ ଘଟିବା ସଂଗଠନ ପାଇଁ ଶକ୍ତ ଝଟକା। ରଗିସବୀ କହିଛନ୍ତି, ‘ଏମ୍କ୍ୟୁ-୯’ ଲଢୁଆ ବିମାନଦ୍ୱାରା ହୋଇଥିବା ଉକ୍ତ ଆକ୍ରମଣରେ କୌଣସି ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିନାହିଁ। ଏ ସଂକ୍ରାନ୍ତରେ ଜାରି ଏକ ବିବୃତି ଅନୁସାରେ, ଆମେରିକା ଏବଂ ତା’ର ମିତ୍ର ରାଷ୍ଟ୍ରମାନଙ୍କ ପ୍ରତି ଏବେ ମଧ୍ୟ ଅଲ୍-କାଏଦା ବିପଦର କାରଣ ହୋଇ ରହିଛି।
Powered by Froala Editor