ବିଜେପିର ଲକ୍ଷ୍ୟ ମିଡିଆ ମାଇଲେଜ: ବିଜେଡି
ଭୁବନେଶ୍ୱର:କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ଏବେ ସାରା ରାଜ୍ୟ ଉଠୁଛି ପଡ଼ୁଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେକୁ ଗିରଫ କରାଯାଇଥିବାବେଳେ ଏଥିରେ ସମ୍ପୃକ୍ତି ଅଭିଯୋଗରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ହୋଇଆସୁଛି । ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ନେଇ ଗତ କିଛି ଦିନ ହେଲା ବିରୋଧୀ ତୁମ୍ଭିତୋଫାନ କରିଆସୁଛନ୍ତି । ତେବେ ଏହି ମାମଲାରେ ବିଜେପିକୁ କଡ଼ା ସମାଲୋଚନା କରିଛି ବିଜେଡି । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଇପସିତା ସାହୁ ଓ ଏଲିନା ଦାସ ବିଜେପିକୁ ସମାଲୋଚନା କରିଛନ୍ତି ।
ସେମାନେ କହିଛନ୍ତି ଯେ, ଏଭଳି ଏକ ଘଟଣାକୁ ରାଜନୀତିର ରୂପ ଦିଆଯିବା ଲଜ୍ଜାଜନକ । ମହିଳା ବିଜେପିର ଆଚରଣ ଅତ୍ୟନ୍ତ ଲଜ୍ଜାଜନକ ଓ ନିନ୍ଦନୀୟ । ସମାନ ଘଟଣାରେ ୨ୟ ବାର ଏତଲା ଅନାବଶ୍ୟକ ବୋଲି ବିଜେପି ଜାଣିନାହିଁ । ମିଡିଆରେ ମାଇଲେଜ ନେବାକୁ ଶୁକ୍ରବାର କ୍ୟାପିଟାଲ ଥାନାରେ ହଙ୍ଗାମା କଲେ । ତେବେ ଅଭିଯୁକ୍ତ ଦଣ୍ଡ ପାଇବା ଆମର ମୂଳ ଲକ୍ଷ୍ୟ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।
ସ୍ଥିତି ଜାହିର ପାଇଁ ଓଡ଼ିଶା ବିଜେପି ଏବେ ସ୍ପର୍ଶକାତର ମାମଲାରେ ନିମ୍ନମାନର ରାଜନୀତି କରୁଛି । ପୀଡ଼ିତା କିମ୍ବା ତାଙ୍କ ପରିବାର କିଭଳି ନ୍ୟାୟ ପାଇବେ ସେ ଦିଗରେ ଚିନ୍ତା କରୁନାହିଁ ବିଜେପି । ବଦଳରେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ବଦନାମ ପାଇଁ ଅପଚେଷ୍ଟା ଚଳାଇଛି ।" ଏହା କହିଛନ୍ତି ବିଜେଡି ମୁଖପାତ୍ର ସୁଶ୍ରୀ ଇପ୍ସିତା ସାହୁ ।
ଇପ୍ସିତା ସାହୁ କହିଛନ୍ତି ଯେ, ମମିତା ମେହେର ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ଆଉ କିଛି ବ୍ୟକ୍ତି ଗିରଫ ହୋଇଛନ୍ତି । ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବାପାଇଁ ପୋଲିସ୍ ଏହାର ତଦନ୍ତ ଜାରି ରଖିଛି । ରାଜ୍ୟ ବିଜେପି ଏବେ ଏହି ସ୍ପର୍ଶକାତର ମାମଲାକୁ ଢାଲ କରି ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବାରେ ଲାଗିଛି । ଏହାକୁ ଛାତ୍ରଛାତ୍ରୀ କିମ୍ବା ସେମାନଙ୍କ ଅଭିଭାବକମାନେ ଗ୍ରହଣ କରିପାରୁ ନାହାନ୍ତି । ଏଭଳି ହୀନ ରାଜନୀତିର ଜବାବ ବିଜେଡି ଠିକଣା ସମୟରେ ଦେବ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ।
Powered by Froala Editor