ପଞ୍ଚାୟତ ନିର୍ବାଚନ ନେଇ ଆସିଲା ଏହି ଖବର, ଜାଣନ୍ତୁ କ’ଣ
ଭୁବନେଶ୍ୱର: ଆଗକୁ ପଞ୍ଚାୟତ ନିର୍ବାଚନ । ଏନେଇ ସବୁ ଦଳ ସମେତ ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି ।
ଏନେଇ ରାଜ୍ୟ ନିର୍ବାଚନ କମିଶନ କହିଛନ୍ତି ଯେ, ଏଥର ପଞ୍ଚାୟତ ନିର୍ବାଚନରେ ସେଣ୍ଟ୍ରାଲ କାଉଣ୍ଟିଂ ହେବ । ପୋଲିଂ ସରିବା ପରେ ଭୋଟ ବାକ୍ସଗୁଡ଼ିକୁ ଷ୍ଟ୍ରଙ୍ଗ ରୁମରେ ରଖାଯିବ । ଭୋଟ ବାକ୍ସ ପାଇଁ ବ୍ଲକସ୍ତରରେ ଷ୍ଟ୍ରଙ୍ଗ ରୁମ ପ୍ରସ୍ତୁତ କରାଯିବ । ଏଥିଲାଗି ଅଧିକ ବାଲାଟ ବକ୍ସର ଆବଶ୍ୟକ ପଡ଼ିବ । ଯେତିକିଟି ବୁଥ ସେତିକିଟି ବାଲାଟ ବକ୍ସର ଆବଶ୍ୟକ ପଡ଼ିବ ବୋଲି ରାଜ୍ୟ ନିର୍ବାଚନ କମିଶନ କହିଛନ୍ତି ।
ଅନ୍ୟପକ୍ଷରେ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ଭୋଟ୍ ପାଇଁ ୱାର୍ଡ ସୀମା ନିର୍ଦ୍ଧାରଣ ସହ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଆସନ୍ତା ୨୬ ସୁଦ୍ଧା ଏ ତାଲିକା ନିର୍ବାଚନ କମିଶନଙ୍କୁ ହସ୍ତାନ୍ତର କରିବାକୁ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନଭେମ୍ବର ୫ ସୁଦ୍ଧା ଭୋଟ ଗ୍ରହଣ କେନ୍ଦ୍ର ଚିହ୍ନଟ କରିବାକୁ କୁହାଯାଇଛି । ବାଲାଟ ବକ୍ସର ମରାମତି ଓ ରଙ୍ଗ କାମକୁ ତ୍ୱରିତ ଉପରେ ମଧ୍ୟ ଶ୍ରୀ ପାଢ଼ୀ ଗୁରୁତ୍ୱ ଦେଇଛନ୍ତି ।
ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରେ ପଞ୍ଚାୟତ ଭୋଟ୍ କରିବାକୁ ବିଚାର ଚାଲିଥିଲା ବେଳେ ରାଜ୍ୟ ନିର୍ବାଚନ କମିଶନ ପ୍ରକ୍ରିୟାକୁ ଅଧିକ ଆଗେଇ ନେଇଛନ୍ତି । ନିର୍ବାଚନ କମିଶନର ଶ୍ରୀ ପାଢ଼ୀ ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ । ଆଲୋଚନା ବେଳେ ସେ ସ୍ପଷ୍ଟ ଭାବେ କହିଛନ୍ତି, ପଞ୍ଚାୟତ ଭୋଟ ପାଇଁ ୱାର୍ଡ ଓ ପଦବି ସଂରକ୍ଷଣ ତାଲିକା ଜିଲ୍ଲାପାଳମାନେ ସ୍ୱତନ୍ତ୍ର ବାର୍ତ୍ତାବହ ଜରିଆରେ ନିର୍ବାଚନ କମିଶନଙ୍କୁ ପଠାଇବେ । ଏଥିପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଧାରିତ ଫର୍ମାଟ୍ ପଠାଯାଇଛି । ଇତିମଧ୍ୟରେ ଚିଠା ସଂରକ୍ଷଣ ତାଲିକା ଜାରି ହୋଇଥିଲା ବେଳେ ଆପତ୍ତି ଅଭିଯୋଗର ଶୁଣାଣି ପରେ ଜିଲ୍ଲାପାଳମାନେ ଚୂଡ଼ାନ୍ତ ତାଲିକା କମିଶନଙ୍କୁ ଦେବେ ।
ଆସନ୍ତା ପଞ୍ଚାୟତ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ବାଲାଟ୍ ବକ୍ସ ସଂପର୍କରେ ନିର୍ବାଚନ କମିଶନର ଆଲୋଚନା କରିଥିଲେ । ଜିଲ୍ଲାରେ କେତେ ସଂଖ୍ୟାରେ ବାଲାଟ୍ ବକ୍ସ ଦରକାର ହେବ ଏବଂ ଜିଲ୍ଲାସ୍ତରରେ କେତେ ବାଲାଟ୍ ବକ୍ସ ଅଛି, ସେ ସଂପର୍କରେ କମିଶନ ଜାଣିବାକୁ ଚାହିଁଥିଲେ । ପଞ୍ଚାୟତ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ବାଲାଟ୍ ବକ୍ସର ମରାମତି ଓ ରଙ୍ଗ କରାଇବା ପାଇଁ ନିର୍ବାଚନ କମିଶନ ସମସ୍ତ ଜିଲ୍ଲାପାଳଙ୍କୁ କହିଛନ୍ତି । ଏ ବାବଦରେ ୧ କାଟି ୧୬ ଲକ୍ଷ ଟଙ୍କା ଜିଲ୍ଲାଗୁଡ଼ିକୁ ପ୍ରଦାନ କରାଯାଇଛି । ଆସନ୍ତା ନଭେମ୍ବର ୧୫ ସୁଦ୍ଧା ଏ କାମ ସାରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ ପରେ ଭୋଟ ଗଣତି ସଂପର୍କରେ ନିର୍ବାଚନ କମିଶନ ଏକ ବିସ୍ତୃତ ନିୟମାବଳୀ ଜାରି କରିଛନ୍ତି । ଏଥର ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ବ୍ଲକ୍ ମୁଖ୍ୟାଳୟଠାରେ ଅନୁଷ୍ଠିତ ହେବ । ଜିଲ୍ଲାପାଳମାନେ ଭୋଟ ଗଣତି ସଂପର୍କରେ ଜାରି କରାଯାଇଥିବା ବିସ୍ତୃତ ନିୟମାବଳୀକୁ ଅନୁଧ୍ୟାନ କରିବେ । ବ୍ଲକ୍ ମୁଖ୍ୟାଳୟରେ ଭୋଟ ଗଣତି କେନ୍ଦ୍ର ଚିହ୍ନଟ ସହ ପ୍ରସ୍ତୁତ କରି ରଖିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।
Powered by Froala Editor