ପୁଣି ଖାରଜ ହେଲା ଆର୍ଯ୍ୟନଙ୍କ ଜାମିନ, ଜାଣନ୍ତୁ କ’ଣ କହିଲେ ଜଜ୍
ବଲିଉଡ୍ ଷ୍ଟାର ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନଙ୍କ ଆବେଦନ ପୁଣି ଖାରଜ କରି ଦେଇଛନ୍ତି ମୁମ୍ବାଇର ସ୍ବତନ୍ତ୍ର ଏନଡିପିଏସ କୋର୍ଟ । ଜାମିନ ଖାରଜ କରି ଜଜ୍ ଭିଭି ପାଟିଲ କହିଛନ୍ତି ଯେ ଦାଖଲ ହୋଇଥିବା ତଥ୍ୟ ପ୍ରମାଣକୁ ଦେଖିଲେ ମନେ ହେଉନାହିଁ ଯେ ଅଭିଯୁକ୍ତ ଆର୍ଯ୍ୟନ ଖାଁ, ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚା ଜାମିନ ମିଳିବା ପରେ ଆଉ ସେହି ଅପରାଧ କରିବେ ନାହିଁ । ତିନି ଅଭିଯୁକ୍ତ ଏକ ବଡ଼ ଅପରାଧ କରିଛନ୍ତି, ତାହା ଜାମିନ ଯୋଗ୍ୟ ନୁହେଁ । ଜାମିନରେ ଯିବା ପରେ ଆର୍ଯ୍ୟନ ତଥ୍ୟ ପ୍ରମାଣ ନଷ୍ଟ କରିବାର ଆଶଙ୍କା ରହିଛି । କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ନିଜ ସାଙ୍ଗମାନଙ୍କ ପାଖରେ ଡ୍ରଗ୍ସ ଥିବା ଆର୍ଯ୍ୟନ ଭଲଭାବେ ଜାଣିଥିଲେ । କୋର୍ଟଙ୍କ ୧୮ ପୃଷ୍ଠା ବିଶିଷ୍ଟ ଆଦେଶରେ ଆହୁରି ମଧ୍ୟ କୁହାଯାଇଛି ଅଭିଯୁକ୍ତ ନଂ-୧ (ଆର୍ଯ୍ୟନ)ଙ୍କ ହ୍ବାଟ୍ସଆପ ଚାଟରୁ ଜଣାପଡ଼ୁଛି ଯେ ସେ କେତେକ ବିଦେଶୀ ଡ୍ରଗ୍ସ ଚାଲାଣକାରୀଙ୍କ ଯୋଗାଯୋଗରେ ଥିଲେ ।
ଜାମିନ ଆବେଦନ ଖାରଜ ହୋଇଯିବା ପରେ ଆର୍ଯ୍ୟନଙ୍କ ଓକିଲ କହିଛନ୍ତି ଯେ ସେମାନେ ହାଇକୋର୍ଟ ଯିବେ। କ୍ରୁଜ୍ ଶିପ୍ରେ ଚଢ଼ାଉ ବେଳେ ଆର୍ଯ୍ୟନ ଖାଁଙ୍କ ପାଖରୁ କିଛି ଡ୍ରଗ୍ସ ମିଳି ନଥିଲା ବୋଲି ସେ ଯୁକ୍ତି ବାଢ଼ିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ୩ରେ ଆର୍ଯ୍ୟନ ଖାଁ, ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚା ଗିରଫ ହୋଇଥିଲେ । ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ ଜାହାଜ କୋର୍ଡେଲିଆରେ ଡ୍ରଗ୍ସ ରଖିବା ଓ ସେବନ ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିଲା । ତେବେ ଆରୟନଙ୍କ ପାଖରୁ ଡ୍ରଗ୍ସ ମିଳିନଥିଲା ।
Powered by Froala Editor