ପୋଲିସ ହେପାଜତରୁ ଅଭିଯୁକ୍ତ ଫେରାର, ୩ ନିଲମ୍ବିତ
ବଲାଙ୍ଗିର: ସ୍କୁଲ ଅଧ୍ୟକ୍ଷା ନିଖୋଜ ମାମଲା, ଅଭିଯୁକ୍ତ ଗୋବିନ୍ଦ ସାହୁ ପୋଲିସ ହେପାଜତରୁ ଫେରାର । କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲାରେ ପୋଲିସ ଅଟକ ରଖିଥିବା ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଫେରାର୍ ହୋଇ ଯାଇଛନ୍ତି । ଗତକାଲି ରାତିରେ ଟିଟିଲାଗଡ଼ ପୋଲିସ ହେପାଜତରୁ ଚମ୍ପଟ ମାରିଛନ୍ତି ଗୋବିନ୍ଦ ।
ଏହି ଘଟଣାରେ ଦାୟିତ୍ୱରେ ଅବହେଳା ପାଇଁ ୩ଜଣ ପୋଲିସ କର୍ମଚାରୀଙ୍କୁ ବଲାଙ୍ଗିର ଏସପି ନୀତିନ କୁଶଲକର ନିଲମ୍ବିତ କରିଛନ୍ତି । ନିଲମ୍ବିତ ପୋଲିସ କର୍ମଚାରୀ ମାନେ ହେଲେ କନେଷ୍ଟବଳ ରାକେଶ ବିଶ୍ୱାଳ, ଓଏପିଏଫ କନେଷ୍ଟବଳ ଦୟା ଜାନୀ ଓ ରବୀନ୍ଦ୍ର ଝିଲେନି । ଫେରାର୍ ଗୋବିନ୍ଦ ସାହୁଙ୍କୁ ଧରିବା ପାଇଁ ବଲାଙ୍ଗିର ପୋଲିସ ସମସ୍ତ ରାସ୍ତାକୁ ନାକାବନ୍ଦୀ କରି ଚେକିଂକୁ ଜୋରଦାର କରିଛି ।
ଗତ ୮ ତାରିଖରେ ସ୍କୁଲ୍କୁ ଯିବା ବାଟରେ ମମିତା ନିଖୋଜ ହୋଇଯାଇଥିବା ନେଇ ପରିବାର ଲୋକ ବଲାଙ୍ଗିର ସିନ୍ଧେକେଲା ଥାନାରେ ଅଭିଯୋଗ କରିଥିଲେ । ଏହି ମାମଲାରେ ଗତ ୧୩ ତାରିଖ ରାତିରେ ସନ୍ସାଇନ୍ ପବ୍ଲିକ୍ ସ୍କୁଲ୍ର ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁଙ୍କୁ ତାଙ୍କ ଘରୁ ଉଠାଇ ଆଣି ପଚରାଉଚରା କରୁଥିଲା ପୋଲିସ ।
Powered by Froala Editor