କେରଳରେ ବନ୍ୟା, ଭୂସ୍ଖଳନ : ୨୧ ମୃତ
କେରଳରେ ପ୍ରବଳ ବର୍ଷା ଯୋଗୁଁ ଅନେକ ସହରରେ ପରିସ୍ଥିତି ପରି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରବିବାର କୋକ୍କାୟାରରେ ଭୂସ୍ଖଳନ ପରେ ୩ଟି ମୃତଦେହ ଉଦ୍ଧାର କରାଯାଇଛି। ଏହା ସହ ରାଜ୍ୟରେ ଏପର୍ଯ୍ୟନ୍ତ ବର୍ଷା ଯୋଗୁ ୨୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରେ ୧୩ ଜଣ କୋଟ୍ଟାୟମ ଏବଂ ଆଠ ଜଣ ଇଡୁକିରୁ ବୋଲି କୁହାଯାଉଛି।
ଭୂସ୍ଖଳନ ଯୋଗୁଁ କୋଟ୍ଟାୟମର କୁଟିକଲରେ ଗୋଟିଏ ପରିବାର ନିଶ୍ଚିହ୍ନ ହୋଇଯାଇଥିବା ସୂଚନା ମିଳିଛି। ଘରେ ଥିବାବେଳେ ପାହାଡ଼ରୁ ବର୍ଷା ପାଣି ଓ ଆବର୍ଜନା ମାଡ଼ି ଆସିବାରୁ ଘର ପୋତି ହୋଇଯାଇଥିଲା। ଫଳରେ ଘର ଭିତରେ ଥିବା ବୁଢ଼ି ମାଆ, ସ୍ୱାମୀ, ସ୍ତ୍ରୀ ଓ ୪ ଛୁଆ ପ୍ରାଣ ହରାଇଛନ୍ତି। ସେହିପରି ଆଉ ୩ଟି ଘର ଭାସିଯାଇଛି। ତେବେ ଉଦ୍ଧାର କାର୍ଯ୍ୟ ଲାଗି ରାଜ୍ୟ ସରକାର ଏନ୍ଡିଆର୍ଏଫ୍, ସ୍ଥଳସେନା ଓ ବାୟୁସେନାର ସାହାଯ୍ୟ ଲୋଡ଼ିଛନ୍ତି।
ସୁଲୁରରେ ବାୟୁସେନା ମଧ୍ୟ ଉଦ୍ଧାର କାର୍ଯ୍ୟ କରିବା ଲାଗି ପ୍ରସ୍ତୁତ ହୋଇ ରହିଛି। ସ୍ଥଳସେନାର ଗୋଟିଏ ଟିମ୍ ଯବାନ କୋଟ୍ଟାୟମରେ ମଧ୍ୟ ଉଦ୍ଧାର କାର୍ଯ୍ୟ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ସେପଟେ କୋଚି ନାଭାଲ୍ ବେସ୍ରେ ନୌସେନା ଯବାନ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ଲାଗି ସଜାଗ ଅଛନ୍ତି।
ଦୁଇ ଦିନ ଧରି ବର୍ଷା ଯୋଗୁଁ କେରଳର ପ୍ରାୟ ସମସ୍ତ ଡ୍ୟାମରେ ପାଣି ଉପରକୁ ଉଠିଛି । ଡ୍ୟାମ୍ରେ ଜଳ ପତ୍ତନ ନିୟନ୍ତ୍ରଣରେ ରଖିବା ଲାଗି ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ତଳିଆ ଅଞ୍ଚଳରେ ସ୍ଥିତି ଆହୁରି ସଂଗୀନ ହେବ ବୋଲି ଅନୁମାନ କରାଯାଉଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପାତନମଥିଟ୍ଟା, କୋଟାୟାମ, ଏର୍ନାକୁଲମ, ଇଡୁକି, ଥ୍ରୀସୁର ଜିଲାରେ ରେଡ ଆଲର୍ଟ ଜାରି କରାଯାଇଛି। ଥିରୁଭନନ୍ତପୁରମ, କୋଲାମ, ଆଲାପୁଜା, ପାଲକ୍କଡ, ମାଲାପୁରମ, କୋଜିକୋଡେ ଏବଂ ୱାୟନାଡ ଜିଏା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
ସେହିପରି ଲଘୁଚାପ ପ୍ରଭାବରେ ଦିଲ୍ଲୀ-ଏନସିଆର ସମେତ ଉତ୍ତରପ୍ରଦେଶ, ହରିୟାଣା ଓ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା । ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଆଜିଠୁ ବର୍ଷା ଆରମ୍ଭ ହୋଇଛି । ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶର କେତେକ ଜିଲ୍ଲାରେ ବି ବର୍ଷା ହେବା ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
Powered by Froala Editor