ଭୁବନେଶ୍ବରରୁ ଜୟପୁରକୁ ଉଡିବ ବିମାନ, କେବେ ଜାଣନ୍ତୁ ?
ଭୁବନେଶ୍ବର: ଏଣିକି ଭୁବନେଶ୍ବରରୁ ରାଜସ୍ଥାନ ଜୟପୁରକୁ ଉଡିବ ବିମାନ । ନଭେମ୍ବର ୨ ତାରିଖରୁ ଜୟପୁରକୁ ଆରମ୍ଭ ହେବା ସିଧାସଳଖ ବିମାନ ସେବା । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ରର ପ୍ରତ୍ୟୁତ୍ତରରେ କେନ୍ଦ୍ର ବେସାମରିକ ଓ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ.ସିନ୍ଧିଆ ଭୁବନେଶ୍ବର ଓ ଜୟପୁର ମଧ୍ୟରେ ଏହି ବିମାନ ସେବା ନେଇ ସୂଚନା ଦେଇଛନ୍ତି ।
ଗତ ସେପ୍ଟେମ୍ବର ୧୭ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏହି ବିମାନ ଚଳାଚଳ ସମ୍ପର୍କରେ ପତ୍ର ଲେଖିଥିଲେ । ଏନେଇ ଉକ୍ତ ପତ୍ରର ଉତ୍ତରରେ ସିନ୍ଧିଆ ଉଲ୍ଲେଖ କରିଛନ୍ତି ଯେ ବିମାନ ସଂସ୍ଥା ‘ଇଣ୍ଡିଗୋ’ ପକ୍ଷରୁ ଆସନ୍ତା ନଭେମ୍ବର ୨ ତାରିଖରୁ ଭୁବନେଶ୍ଵରରୁ ରାଜସ୍ଥାନର ଜୟପୁରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ସପ୍ତାହରେ ୩ଥର ଏହି ବିମାନ ଚଳାଚଳ ହେବ ।ଏହି ବିମାନ ସେବା ଆରମ୍ଭ ହେବା ଦ୍ଵାରା ମନ୍ଦିରମାଳିନୀ ଭୁବନେଶ୍ବର ଏବଂ ଗୋଲାପି ସହର ଜୟପୁର ମଧ୍ୟରେ ବିମାନ ସେବାର ଯାତ୍ରୀଙ୍କୁ ସୁବିଧା ମିଳିବ । ଏହାସହ ଉଭୟ ରାଜ୍ୟର ଅର୍ଥନୀତିକୁ ମଧ୍ୟ ମଜବୁତ୍ କରିବାରେ ସହାୟକ ହେବ ବୋଲି ସିନ୍ଧିଆ ପତ୍ରରେ ଉଲ୍ଲେଖ କରିଛନ୍ତି ।
Powered by Froala Editor