ଟିକା ପାଇଁ ଦୁଇ କମ୍ପାନୀଙ୍କୁ ଆଗୁଆ ଟଙ୍କା ଦେଲେ ସରକାର
ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବାବେଳେ ଟିକାକରଣକୁ ଜୋରଦାର ପାଇଁ କେନ୍ଦ୍ର ସରକାର ଆଗେଇ ଆସିଛନ୍ତି। ମେ ୧ରୁ ସମସ୍ତ ପ୍ରାପ୍ତ ବୟସ୍କ ଟିକା ନେବେ। କେନ୍ଦ୍ର ବ୍ୟତୀତ ରାଜ୍ୟ ସରକାର, ଘରୋଇ ହସ୍ପିଟାଲ, ଔଷଧ ଦୋକାନୀ ମଧ୍ୟ ଏହି ଟିକା କିଣିପାରିବେ। ତେଣୁ ଟିକାର ଚାହିଦା ମେ ୧ ପରେ ଆହୁରି ବଢ଼ିବାକୁ ଯାଉଛି।
ଇତିମଧ୍ୟରେ କୋଭିଶିଲ୍ଡ ଟିକା ପ୍ରସ୍ତୁତ କରିଥିବା କମ୍ପାନୀ ସେରମ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ବୁଧବାର ଟିକା ଦର ଧାର୍ଯ୍ୟ କରିଛି। ଦର ମୁତାବକ ପ୍ରଇଭେଟ୍ ହସ୍ପିଟାଲକୁ କୋଭିଶିଲ୍ଡ ଟିକା ୬୦୦ ଟଙ୍କା ଓ ରାଜ୍ୟ ସରକାରଙ୍କୁ ପ୍ରତି ଡୋଜ୍ ୪୦୦ ଟଙ୍କାରେ ଦିଆଯିବ ବୋଲି ସେରମ ଇନ୍ଷ୍ଟିଚ୍ୟୁର ସିଇଓ ଅଦର ପୁନାଓ୍ବାଲା କହିଛନ୍ତି।
ଏହାବ୍ୟତୀତ ସରକାର ଦୁଇଟି ଟିକା ପ୍ରସ୍ତୁତ କରୁଥିବା କମ୍ପାନୀଙ୍କୁ ଟିକା ତିଆରି ପାଇଁ ବ୍ୟାଙ୍କ ଲୋନ ଜରିଆରେ ଆବଶ୍ୟକ ପୁଞ୍ଜି ଯୋଗାଇଛନ୍ତି। ସେରମ ଇନଷ୍ଟିଚ୍ୟୁଟକୁ ୩ ହଜାର କୋଟି ଓ ଭାରତ ବାୟୋଟେକକୁ ୧୫ଶହ କୋଟି ଟଙ୍କା ଆଗୁଆ ଦିଆଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଆଗତ ଏକ ପ୍ରସ୍ତାବକୁ କେନ୍ଦ୍ର ଅର୍ଥମନ୍ତ୍ରାଳୟ ପକ୍ଷରୁ ମଂଜୁରୀ ମିଳିଛି।
ଜେନେରାଲ ଫାଇନାନସ ନିୟମାନୁଯାୟୀ, ବିନା ବ୍ୟାଙ୍କ ଗ୍ୟାରେଣ୍ଟିରେ ଏଭଳି ଟଙ୍କା ଆଗୁଆ ଦିଆଯାଇପାରିବ ନାହିଁ କିନ୍ତୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଐତିହାସିକ ନିଷ୍ପତ୍ତି ନିଆଯାଇ ଆଗୁଆ ଟଙ୍କା ଦେବାକୁ ଗ୍ରୀନ ସିଗନାଲ ଦିଆଯାଇଛି। ଏଥିପାଇଁ ସରକାର ନିୟମରେ କୋହଳ କରିଛନ୍ତି। ଏବେ ସରକାର ମାସିକ ୧୧୨ କୋଟିରୁ ଅଧିକ ଟିକା ପାଇଁ ଅର୍ଡର କରିଛନ୍ତି। ସେରମ୍ ଇନଷ୍ଟିଚ୍ୟୁଟ ମାସିକ ୭୦ କୋଟି ଟିକା ତିଆରି କରୁଥିବା ବେଳେ ଏବେ ଆବଶ୍ୟକ ପୁଞ୍ଜି ପାଇବାପରେ ମେ ଶେଷ ସୁଦ୍ଧା ୧୦୦ କୋଟିରୁ ଅଧିକ ଟିକା ତିଆରି କରିବ ବୋଲି ଜଣାପଡ଼ିଛି।
Powered by Froala Editor