୩ ପ୍ରଥମ ଶ୍ରେଣୀ ଅଧିକାରୀଙ୍କ ପାଖେ ପୁଳା ପୁଳା ବ୍ଲାକ ମନି
ଭୁବନେଶ୍ୱର: ବିପୁଳ ଟଙ୍କା ସହ ଧରାପଡ଼ିଥିବା ୩ ପ୍ରଥମ ଶ୍ରେଣୀ ଅଧିକାରୀ ଗିରଫ ଘଟଣାରେ ବଡ଼ ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସପି ଅକ୍ଷୟ କୁମାର ମିଶ୍ର । ସେମାନେ ସମସ୍ତେ ବ୍ଲାକମନି ନେଇ ଆସୁଥିବାବେଳେ ଧରାପଡ଼ିଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ସେ କହିଛନ୍ତି ଯେ, ଦରକାର ପଡ଼ିଲେ ସେମାନଙ୍କୁ ରିମାଣ୍ଡରେ ଅଣାଯିବ । ମୋଟ ୨୨ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଜବତ ହୋଇଛି । ଏବେ ବି ଅଭିଯୁକ୍ତଙ୍କ ଘରେ ଭିଜିଲାନ୍ସ ଚଢଉ ଜାରି ରହିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସେମାନେ ବ୍ଲାକମନି ନେଇ ଆସୁଥିଲେ । ତେବେ କେଉଁଠୁ ଏତେ ଟଙ୍କା ଆଣିଥିଲେ ସେ ନେଇ ଖୋଳତାଡ଼ ଚାଲିଛି ବୋଲି ଭିଜିଲାନ୍ସ ଏସପି ଅକ୍ଷୟ କୁମାର ମିଶ୍ର କହିଛନ୍ତି ।
ପ୍ରକାଶ ଯେ, ଗୋଟିଏ ଦିନରେ ତିନି ପ୍ରଥମ ଶ୍ରେଣୀ କର୍ମଚାରୀ ଗିରଫ । ଏକକାଳୀନ ତିନି ପ୍ରଥମ ଶ୍ରେଣୀ ଅଧିକାରୀଙ୍କ ଘରେ ଛାପା ମାରିଲା ଭିଜିଲାନ୍ସ । ରେଡ୍ ମାରିବା ପରେ ସମସ୍ତଙ୍କୁ ଗିରଫ କରିଛି ଭିଜିଲାନ୍ସ । ସେମାନଙ୍କ ପାଖରୁ ପୁଳା ପୁଳା ଟଙ୍କା ମିଳିଛି । ମୋଟ ୨୨ ଲକ୍ଷ ୬୧ହଜାର ୪୩୦ ଟଙ୍କା ଜବତ କରାଯାଇଥିବା ଜଣାପଡିଛି ।
ଏହି କର୍ମଚାରୀମାନେ ହେଲେ ରାଜ୍ୟ ପ୍ରଦୂଷଣ ନିୟମନ୍ତ୍ରଣ ବୋର୍ଡର ରାଉରକେଲା ଆଞ୍ଚଳିକ ଅଧିକାରୀ ପିକେ ମହାପାତ୍ର, ବାଲେଶ୍ବର PCB ଅଧିକାରୀ ନରୋତ୍ତମ ବେହେରା ଏବଂ ବୈତରଣୀ ଜଳସମ୍ପଦ ଡିଭିଜନ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ । ପିକେ ମହାପାତ୍ରଙ୍କ ଠାରୁ ୧ଲକ୍ଷ ୭୫ହଜାର ଟଙ୍କା ମିଳିଥିବାବେଳେ ନରୋତ୍ତମ ବେହେରାଙ୍କ ନିକଟରୁ ୮୯ ହଜାର ଟଙ୍କା ତାଙ୍କୁ ଘରୁ ୯ଲକ୍ଷ ୨୫ହଜାର ଟଙ୍କା ଏବଂ ବିଧାନ ଚନ୍ଦ୍ର ସାହୁଙ୍କ ନିକଟରୁ ୧୦ ଲକ୍ଷ ୭ ହଜାର ସମେତ ଘରୁ ନଗଦ ୬୪ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ।ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ବର୍ତ୍ତମାନ ଏହି ଘଟଣାର ତଦନ୍ତ ଜାରି ରହିଥିବାବେଳେ ଏହିସବୁ ଟଙ୍କା କେଉଁଠୁ ଆସିଲା ତାହାର ଉତ୍ସ ଖୋଜୁଛି ଭିଜିଲାନ୍ସ ।
Powered by Froala Editor