ଗ୍ରାହକ ସାଜି ବଜ୍ରକାପ୍ତା ତସ୍କରଙ୍କୁ ଧରିଲେ ବନ କର୍ମଚାରୀ

ବଲାଙ୍ଗୀର ଖପ୍ରାଖୋଲରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବଜ୍ରକାପ୍ତା ଚାଲାଣ ନେଇ ମହରାପଦର ଗାଁ ଠାରେ ଡିଲ୍ ହେଇଥିବା ବେଳେ ଜବତ କରିଛି ବନ ବିଭାଗ । ଲାଠୋର ଓ ଖପ୍ରାଖୋଲ ବନ ବିଭାଗ ମିଳିତ ଭାବେ ଗ୍ରାହକ ବେଶରେ ଯାଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ବଲାଙ୍ଗୀର ଡିଏଫଓ ନୀତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ୍ ଗ୍ରାହକ ସାଜି ଅଭିଯୁକ୍ତ ମାନଙ୍କୁ ଧରିଥିଲେ ।
ବଜ୍ରକାପ୍ତାକୁ ଖପ୍ରାଖୋଲ ଥାନା ଅନ୍ତର୍ଗତ ମହରାପଦର ଓ ସରଗିପାଳି ଗ୍ରାମର ୩ ଜଣ ଯୁବକ ଲୁଚାଇ ରଖିଥିବା ସୂଚନା ମିଳିଥିଲା । ଏହାପରେ ବଜ୍ରକାପ୍ତାକୁ ଉଦ୍ଧାର କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ବନ ବିଭାଗ କର୍ମଚାରୀମାନେ ଗ୍ରାହକ ସାଜି ଡିଲ୍ କରିଥିଲେ । ବନମାଳ ଓ ମହରାପଦର ମଝି ରାସ୍ତା କଡ଼ର ଏକ ଖୋଲା ପଡ଼ିଆରେ ବଜ୍ରକାପ୍ତା କିଣିବା ପାଇଁ ଡିଲ୍ ହୋଇଥିଲା । ସେଠାକୁ ସରଗିପାଳି ଗ୍ରାମର ଭୋଇରାଜ ଧରୁଆ, ମହରାପଦର ଗ୍ରାମର ଶୁସିଳ ଧରୁଆ ଓ ଅନ୍ୟ ଜଣେ ବଜ୍ରକାପ୍ତା ଧରି ବିକ୍ରୟ କରିବା ପାଇଁ ଆଣିଥିଲେ । କିନ୍ତୁ ବନବିଭାଗ ହାତରେ ଦୁଇ ଜଣ ଗିରଫ ହୋଇଥିବ। ବେଳେ ଅନ୍ୟଜଣେ ଫେରାର ହୋଇଯାଇଛି । ଲାଠୋର ବନ କର୍ମଚାରୀମାନେ ଦୁଇ ଜଣଙ୍କୁ ଗିରଫ କରିବା ସହ ବଜ୍ରକାପ୍ତାକୁ ଉଦ୍ଧାର କରିଛନ୍ତି । ତେବେ ଏହି ଘଟଣାରେ ଆଉ କିଏ କିଏ ସାମିଲ ରହିଛନ୍ତି ଏନେଇ ତଦନ୍ତ ଚାଲିଛି ।
Powered by Froala Editor