ଗଞ୍ଜେଇ ମାଫିଆଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ଫ୍ରିଜ୍
ଗତ ଫେବୃୟାରୀ ୧ ତାରିଖରେ ଓଡ଼ିଶା ପୋଲିସ ୧୪ ଶହ କେଜି ଗଞ୍ଜେଇ ଜବତ କରିବା ସହ ୧୧ଜଣଙ୍କୁ ଗିରଫ କରିଥିଲା । ପରେ ସେମାନଙ୍କୁ ଗିରଫ କରି ଜେଲ ପଠାଯାଇଥିଲା। ଏବେ ନିଶା ମାଫିଆଙ୍କ ସମ୍ପତ୍ତିକୁ ପୋଲିସ ଜବତ କରିବା ଅଭିଯାନ ଆରମ୍ଭ କରିଛି। କୋଲକାତାର ଅଥରିଟିଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଗଞ୍ଜେଇ ବେପାର ସହ ସମ୍ପୃକ୍ତ ୧୧ଜଣ ଅଭିଯୁକ୍ତଙ୍କ ୩ କୋଟି ଟଙ୍କାରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଅଭିଯୁକ୍ତ ମାନେ ହେଲେ କ୍ରିଷ୍ଣା ବଲ୍ଲଭ, ନିର୍ଣ୍ଣାଲ ମଣ୍ଡଳ, ବିବେକାନନ୍ଦ ହାଲଦାର, ଦୀପକ ବାଲା, ରାଜେଶ ମଣ୍ଡଳ, ସୁଧା ମଣ୍ଡଳ । ନିଶା କାରବାର କରି ମାଫିଆ ମାନେ ବେଆଇନ୍ ଭାବରେ ସମ୍ପତ୍ତି ଓ ଘର ତିଆରି କରିଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା । ଏଥିରେ ଅଭିଯୁକ୍ତଙ୍କ ୫ଟି କୋଠା, ୬ଟି ଗାଡ଼ି, ୧୨ଟି ବ୍ୟାଙ୍କ ଆକାଉଣ୍ଟ ଜବତ ହୋଇଛି। ଏହି ସଫଳତା ପାଇଁ ପୋଲିସ ଡିଜି ମାଲକାନଗିରି ପୋଲିସକୁ ଶୁଭେଚ୍ଛା ଜଣାଇଛନ୍ତି।
ମାଲକାନଗିରି ଜିଲ୍ଲା ଏମଭି-୭୫ ଥାନା ଅଞ୍ଚଳରେ ଗତ ଫେବ୍ରୁଆରୀରେ ବଡ଼ ରେଡ୍ କରିଥିଲା ପୋଲିସ । ବିପୁଳ ମାତ୍ରାରେ ଗଞ୍ଜେଇ ଜବତ ହୋଇଥିଲା । ଏଥିରେ ସମ୍ପୃକ୍ତ ମାଫିଆଙ୍କ ବେଆଇନ୍ ସମ୍ପତ୍ତି ଫ୍ରିଜ୍ ପାଇଁ ପୋଲିସ କୋଲକାତା ସ୍ଥିତ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲା । ପୂର୍ବରୁ ନବରଙ୍ଗପୁର କୋଷଗୁମୁଡ଼ା ଓ ପାପଡ଼ାହାଣ୍ଡି ଥାନା ଅଞ୍ଚଳରେ ଯଥାକ୍ରମେ ୧.୬୫ କୋଟି ଓ ୪.୭୭ କୋଟି ଟଙ୍କାର ସମ୍ପତ୍ତି ଫ୍ରିଜ୍ କରାଯାଇଥିଲା ।
Powered by Froala Editor