ଆଗକୁ ପାର୍ବଣ, ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହି ସବୁ କଟକଣା
ଭୁବନେଶ୍ୱର : ଆଗକୁ ପାର୍ବଣ ଋତୁ । ତା’ପୂର୍ବରୁ ପରିବେଶ ପ୍ରଦୂଷଣକୁ ନେଇ ରାଜ୍ୟ ସରକାର ଚିନ୍ତାପ୍ରକଟ କରିଛନ୍ତି । ଗଣେଶ ପୂଜା, ଦୁର୍ଗାପୂଜା, ଲକ୍ଷ୍ମୀପୂଜା, କାଳୀପୂଜା ସାଙ୍ଗକୁ ପର୍ବପର୍ବାଣୀରେ ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ଡାକବାଜି ଯନ୍ତ୍ର, ସଙ୍ଗୀତ ଯନ୍ତ୍ର ତଥା ଅମ୍ପ୍ଲିଫାୟାର ବ୍ୟବହାର ଉପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କଟକଣା ଲଗାଇଛି । ଉଚ୍ଚ ଶବ୍ଦ ଉତ୍ପନ୍ନ କରୁଥିବା ଆତସବାଜି ବ୍ୟବହାର ଯୋଗୁଁ ଅଗ୍ନି ଓ ବିସ୍ଫୋରଣ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହେବା ସହ ଏଥିରୁ ନିର୍ଗତ ବିଷାକ୍ତ ଗ୍ୟାସ, ଧୂଳିକଣା ଓ ଶବ୍ଦରୁ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ତେଣୁ ଡାକବାଜି ଯନ୍ତ୍ର ଓ ଉଚ୍ଚ ଶବ୍ଦ ସୃଷ୍ଟିକାରୀ ଯନ୍ତ୍ରାଂଶର ବ୍ୟବହାର ଉପରେ କଟକଣା ଜାରି ହୋଇଛି । ବିଶେଷକରି ଶିଶୁ, ବୟସ୍କ, ରୁଗଣ ଲୋକଙ୍କ ସ୍ୱାସ୍ଥ୍ୟ ଓ ପରିବେଶକୁ ଦୃଷ୍ଟିରେ ରଖି ଆଗାମୀ ପାର୍ବଣ ଋତୁ ଦୀପାବଳି ଉତ୍ସବ ପର୍ଯ୍ୟନ୍ତ ଅତ୍ୟନ୍ତ ଦାୟିତ୍ୱସମ୍ପନ୍ନ ଭାବେ ନିୟମକୁ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଡାକବାଜି ଯନ୍ତ୍ର କିମ୍ବା ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ସଙ୍ଗୀତ ଯନ୍ତ୍ରାଂଶ, ଆତସବାଜିର ବ୍ୟବହାର ନିଷିଦ୍ଧ ହୋଇଛି । ସରକାରଙ୍କ ଦ୍ୱାରା ଘୋଷିତ ନିରବ ଅଞ୍ଚଳ ଯଥା ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ନ୍ୟାୟାଳୟ, ଧାର୍ମିକ ସ୍ଥଳର ଶହେ ମିଟର ପରିସୀମା ମଧ୍ୟରେ ଆପତ୍ତିଜନକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ଉପରେ କଟକଣା ଲାଗିଛି । ୧୨୫ ଡେସିବେଲରୁ ଊର୍ଦ୍ଧ୍ୱ ଶବ୍ଦ ସୃଷ୍ଟି କରୁଥିବା ବାଣ ପ୍ରସ୍ତୁତି, ବିକ୍ରି ଓ ବ୍ୟବହାର ସମ୍ପୂର୍ଣ୍ଣ ବାରଣ ହୋଇଛି । ହାଇକୋର୍ଟଙ୍କ ନିଦେ୍ର୍ଧଶ ଅନୁଯାୟୀ ଅମ୍ପ୍ଲିଫାୟାର ବ୍ୟବହାରକାରୀ ଅତି ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ସଙ୍ଗୀତ ଯନ୍ତ୍ରାଂଶ, ଶବ୍ଦ ବାକ୍ସ ଓ ଡିଜେଗୁଡିକର ଶବ୍ଦ ନିୟନ୍ତ୍ରଣ ଲଗାଯିବ । ଯାହାଦ୍ୱାରା ଅମ୍ପ୍ଲିଫାୟାରରୁ ସୃଷ୍ଟି ହେଉଥିବା ଶବ୍ଦର ମାତ୍ରା ୬୫ ଡେସିବେଲକୁ ଅତିକ୍ରମ କରିବ ନାହିଁ । ଉପରୋକ୍ତ ନିୟମର କୌଣସି ପ୍ରକାର ଖିଲାପ ହେଲେ ଆତସବାଜି ଓ ଡାକବାଜି ଯନ୍ତ୍ର ଆଇନ ୧୯୫୮, ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ୨୦୦୦ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏ ସମ୍ପର୍କିତ ଯେକୌଣସି ଅଭିଯୋଗ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଉପ ଆରକ୍ଷୀ ଅଧୀକ୍ଷକ, ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ନିକଟରେ କରାଯାଇପାରିବ ।
ବିଭିନ୍ନ ପୂଜା ସମୟରେ କମିଟିର କର୍ମକର୍ତ୍ତା ମୂର୍ତ୍ତି ନିର୍ମାଣରେ ପୋଡ଼ା ମାଟି ତଥା ପ୍ଲାଷ୍ଟର ଅଫ ପ୍ୟାରିସ ପରିବର୍ତ୍ତେ ପ୍ରାକୃତିକ ମୃର୍ତ୍ତିକା ବ୍ୟବହାର କରିବାକୁ କୁହାଯାଇଛି । ମୂର୍ତ୍ତିରେ ବିଷାକ୍ତ ରାସାୟନିକ ରଙ୍ଗ ବଦଳରେ ପ୍ରାକୃତିକ ରଙ୍ଗ ବ୍ୟବହାର, ପୂଜା ପରେ ମୂର୍ତ୍ତିକୁ ଜିଲ୍ଲା ପ୍ରଶାସନ ତଥା ପୌର କର୍ତ୍ତୃପକ୍ଷଙ୍କ ଦ୍ୱାରା ଚିହ୍ନିତ ଅସ୍ଥାୟୀ ପୋଖରୀରେ ବିସର୍ଜନ, ବିସର୍ଜନ ପୂର୍ବରୁ ମୂର୍ତ୍ତି ଓ ମେଢ଼ରୁ ଫୁଲ ତଥା ଅନ୍ୟ ସାଜସଜ୍ଜା ପଦାର୍ଥକୁ କାଢ଼ି ପୌର କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ଦ୍ଧିଷ୍ଟ ସ୍ଥାନରେ ପକାଇବାକୁ କୁହାଯାଇଛି । ଏହାକୁ ବିସର୍ଜନ ସ୍ଥଳରେ ପୋଡ଼ିବାକୁ ବାରଣ କରାଯାଇଛି । ସାଜସଜ୍ଜା ତଥା ପ୍ରସାଦ ବିତରଣ ପାଇଁ ପ୍ଲାଷ୍ଟିକ କିମ୍ବା ଥର୍ମୋକୁଲରେ ତିଆରି ଜିନିଷର ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି ।
ମୂର୍ତ୍ତି ବିସର୍ଜନଜନିତ ଜଳ ପ୍ରଦୂଷଣ ସମ୍ବନ୍ଧରେ ଲୋକଙ୍କୁ ସଚେତନ କରିବାକୁ ଜିଲ୍ଲା ପ୍ରଶାସନ ତଥା ପୌରାଞ୍ଚଳ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି । ମୃର୍ତ୍ତିକା ନିର୍ମିତ ଓ ପ୍ରାକୃତିକ ରଙ୍ଗ ବ୍ୟବହୃତ ମୂର୍ତ୍ତି କିଣିବା, ସମ୍ପୃକ୍ତ ସହରରେ ଅନୁଷ୍ଠିତ ପୂଜାର ସଂଖ୍ୟା ଅନୁପାତରେ ଆବଶ୍ୟକ ଅସ୍ଥାୟୀ ପୋଖରୀ ଖୋଳିବା, ଏ ସମ୍ପର୍କରେ ପୂଜା କମିଟିକୁ ଅବଗତ କରାଇବା, ନଦୀ ତଟବର୍ତ୍ତୀ ଅଞ୍ଚଳରେ ମୂର୍ତ୍ତି ବିସର୍ଜନ ନିମନ୍ତେ ମାଟିବନ୍ଧ ଓ ସିନ୍ଥେଟିକ ଲିନର ଥାଇ ଅସ୍ଥାୟୀ ପୋଖରୀ ନିର୍ମାଣ, ସେଠାରେ ମୂର୍ତ୍ତି ବସର୍ଜନ ପାଇଁ ପୂଜା କମିଟିକୁ ଅନୁରୋଧ କରିବାକୁ କୁହାଯାଇଛି । ମୂର୍ତ୍ତି ବିସର୍ଜନ ହେବାର ୨୪ ଘଣ୍ଟା ମଧ୍ୟରେ ଅସ୍ଥାୟୀ ପୋଖରୀ ମଧ୍ୟରୁ ବିସର୍ଜିତ ସାମଗ୍ରୀକୁ ବାହାର କରି ନିର୍ଦ୍ଧିଷ୍ଟ ସ୍ଥାନକୁ ସ୍ଥାନାନ୍ତର କରିବା ସଙ୍ଗେ ସଙ୍ଗେ ଅସ୍ଥାୟୀ ପୋଖରୀ ଜଳକୁ ଚୂନ ପକାଇ ବିଶୋଧନ ପରେ ନଦୀ ବା ନାଳକୁ ନିଷ୍କାସିତ କରିବାକୁ ନିର୍ଦେଶ ଦିଆଯାଇଛି ।
Powered by Froala Editor